ଲକ୍‌ଡାଉନରୁ ଶଟ୍‌ଡାଉନ ସ୍ଥିତି ଆଣନ୍ତୁ ନାହିଁ

ଫୁଲବାଣୀ ଅଫିସ, ୬ା୪- ସମଗ୍ର ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ଏବେ ବଢ଼ି ଚାଲିଛି। କନ୍ଧମାଳ ଜିଲାବାସୀଙ୍କୁ ଏଥିରୁ ସୁରକ୍ଷା ଦେବାକୁ ଜିଲା ପ୍ରଶାସନ, ପୋଲିସ୍‌ ପ୍ରଶାସନ, ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବାହିନୀ ତରଫରୁ ଆବଶ୍ୟକୀୟ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ପନିପରିବା, ତେଜରାତି, ଆଦି ସାମଗ୍ରୀ କ୍ରୟ କରିବାବେଳେ ଜନସାଧାରଣ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରୁ ନ ଥିବା ପରିଲକ୍ଷିତ ହେଉଛି। ସେମାନଙ୍କ ବିରୋଧରେ ଅଧିକ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଛି। ଅତ୍ୟନ୍ତ ଜରୁରୀ ନଥିଲେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଉଛି। ଯଦି ବାହାରକୁ ବାହାରିବା ନିତାନ୍ତ ଆବଶ୍ୟକ, ତେବେ ମାସ୍କ କିମ୍ବା ରୁମାଲ, ଲୁଗା କାନି ବା ଓଢ଼ଣି ଦ୍ୱାରା ନାକ ଓ ପାଟିକୁ ଘୋଡ଼ାଇ ରଖନ୍ତୁ। ସାମଗ୍ରୀ କ୍ରୟ କରିବା ପାଇଁ ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ ଫୋନ୍‌ ଯୋଗେ ସାମଗ୍ରୀ କ୍ରୟ କରନ୍ତୁ। ପନିପରିବା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ କ୍ରୟ ପାଇଁ ପ୍ରତ୍ୟହ ନ ଆସି, ୪/୫ ଦିନ ବ୍ୟବଧାନରେ ପରିବାରର ଜଣେ ଆସନ୍ତୁ। କ୍ରୟ ବିକ୍ରୟ ବେଳେ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ। ସାମାଜିକ ଦୂରତା ନ ରଖିଲେ ସମ୍ପୃକ୍ତ ଦୋକାନକୁ ସାମୟିକ ଭାବେ ବନ୍ଦ କରାଯିବ ବୋଲି ପ୍ରଶାସନ ତରଫରୁ ଚେତାବନୀ ଦିଆଯାଇଛି। ଆବଶ୍ୟକ ସ୍ଥଳେ, କ୍ରେତା ଓ ବିକ୍ରେତା ଉଭୟଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଜିଲାକୁ ଲକ୍‌ଡାଉନ୍‌ ସ୍ଥିତିରୁ ସଟ୍‌ଡାଉନ୍‌ ସ୍ଥିତିକୁ ଆଣିବାକୁ ଦିଅନ୍ତୁ ନାହିଁ। ଅଯଥା ଗୁଜବରୁ ଦୂରେଇ ରୁହନ୍ତୁ। ନିଜ ପରିବାରର ଏବଂ ନିଜ ଅଞ୍ଚଳର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share