Advertisement

ଲକ୍‌ଡାଉନରେ ବହି ପଢ, ଗଛ ଲଗାଅ: ଇମ୍ରାନ

ଇସ୍‌ଲାମାବାଦ,୪।୫: କରୋନା ସଂକ୍ରମଣ ରୋକିବାକୁ ଏବେ ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ ଫର୍ମୁଲାକୁ ଲାଗୁ କରାଯାଇଛି। ପାକିସ୍ତାନରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହା ଇମ୍ରାନ ଖାଁ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏବେ ସେଠାରେ ଲକ୍‌ଡାଉନ ଚାଲିଥିବାରୁ ଘରେ ରହି ଏହି ସମୟରେ ଯୁବବର୍ଗ ଇସ୍‌ଲାମ ଇତିହାସ ସମ୍ପର୍କିତ ବହି ପଢନ୍ତୁ ଓ ଗଛ ଲଗାନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ। ଏହି ସମୟରେ ଯୁବବର୍ଗ ଇସ୍‌ଲାମ ଇତିହାସ ସମ୍ପର୍କିତ ଜ୍ଞାନ ଆହରଣ କରିବାକୁ ସେ କହିଛନ୍ତି। ପାକିସ୍ତାନର ଏକ ଖବରକାଗଜର ସୂଚନା ଅନୁଯାୟୀ, ଇମ୍ରାନ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଓ୍ବାର୍ଲଡ ଇକନୋମିକ ଫୋରମର ଏକ ଭିଡିଓ ଶେୟାର କରିଛନ୍ତି। ସେହି ଭିଡିଓରେ ଲକ୍‌ଡାଉନ ସମୟରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଗଛ ଲଗାଇ ବେକାର ଥିବା ଯୁବବର୍ଗଙ୍କୁ ରୋଜଗାରର ବାଟ ଫିଟିବ ବୋଲି ସେ କହିଛନ୍ତି। ଗୋଟିଏ ଗଛ ଲଗାଇଲେ ଜଣେ ୩ ଡଲାର ରୋଜଗାର କରିପାରିବ ବୋଲି ସେ କହିଛନ୍ତି। ତେବେ ଇମ୍ରାନଙ୍କର ଏହି କଥାକୁ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାଓ୍ବଲ ଭୁଟ୍ଟୋ ବିରୋଧ କରିଛନ୍ତି। ସେ କହିଛନ୍ତି, ଇମ୍ରାନଙ୍କର ଯଦି କିଛି କାମ ନାହିଁ ତେବେ ସେ ଘରକୁ ଯାଇ ଗଛ ଲଗାନ୍ତୁ ଅନ୍ୟମାନଙ୍କୁ ଉପଦେଶ ଦେବା ଦରକାର ନାହିଁ। ଏବେ ସମୟ କରୋନା ସହ ଲଢିବାର ଗଛ ଲଗାଇବାର ନୁହେଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share