ଲକ୍‌ଡାଉନରେ ସହାୟତା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

ବାଲେଶ୍ୱର ଅଫିସ,୧୭।୪-କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୁରୁବାର ପ୍ରଶାସନିକ ଅଧିକାରୀ ଏବଂ ଦଳୀୟ ନେତାଙ୍କ ସହ ଭିଡ଼ିଓ କନ୍‌ଫରେନ୍ସଂରେ ସହାୟତା ସମ୍ପର୍କରେ ଆଲୋଚନା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଗରିବ ଲୋକଙ୍କୁ ସହାୟତା କରିବା ସହ ପିଏମ୍‌ କେୟାର ଫଣ୍ଡକୁ ସହାୟତା କରିବା, ରକ୍ତଦାନ ଶିବିର, ମୋଦିଅନ୍ନ-ଦାନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ସମ୍ପର୍କରେ ପରାମର୍ଶ ଦେଇଛନ୍ତି।
ଜିଲାପ୍ରଭାରୀ ଗୋଲକ ମହାପାତ୍ର, ଜିଲାସଭାପତି ଉମାକାନ୍ତ ମହାପାତ୍ର, ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ରେମୁଣା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସୋର ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ, ଭୋଗରାଇ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ସମସ୍ତ ୪୯ ମଣ୍ଡଳର ସଭାପତି ତଥା ଜିଲାର ନେତୃବୃନ୍ଦଙ୍କ ସହ ମଧ୍ୟ ଭିଡ଼ିଓ କନ୍‌ଫରେନ୍ସିଂରେ ଆଲୋଚନା କରିଥିଲେ। ଏଥିରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦୂର ପାଇଁ ରକ୍ତଦାନ ଶିବିର ଆୟୋଜନ କରିବା, ମାଦକ ଦ୍ରବ୍ୟର ଚୋରା କାରବାର ସମ୍ପର୍କରେ ପୋଲିସକୁ ଖବର ଦେବା, କରୋନା ଯୋଦ୍ଧା ପୋଲିସ, ସ୍ବାସ୍ଥ୍ୟ ଓ ସଫେଇ ବିଭାଗର କର୍ମଚାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା, ମୋଦିଅନ୍ନ-ଦାନ ଯୋଜନାରେ କେମିତି ଅଧିକରୁ ଅଧିକ ଅସହାୟ ଗରିବଙ୍କୁ ଖାଦ୍ୟ ବଣ୍ଟନ, ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ପୋଲିସ୍‌ କର୍ମଚାରୀଙ୍କ ପାଇଁ ଜଳପାନର ବ୍ୟବସ୍ଥା କରିବା, ଭାଜପା ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ମାସ୍କ ତିଆରି କରି ସାଧାରଣ ଲୋକଙ୍କୁ ବାଣ୍ଟିବା ଭଳି କେତେକ ତଥ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ।