ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ମାର୍ଚ୍ଚ, ୨୦୨୦ରେ ଲକ୍ଡାଉନ ଘୋଷଣା କରିଥିଲେ। ଏହାର ପ୍ରାୟ ଏକ ସପ୍ତାହ ପରେ ଭାରତର ପ୍ରତିଷ୍ଠିତ ମେଡିକାଲ ସଂସ୍ଥା ସରକାରଙ୍କୁ ଜଣାଇଥିଲେ ଯେ, ଲକ୍ଡାଉନର ପ୍ରଭାବ କରୋନା ମହାମାରୀ ଉପରେ ଅପେକ୍ଷାକୃତ କମ୍ ତଥା ସାମୟିକ ରହିବ । ଏହାଦ୍ୱାରା କେବଳ ୨୦ରୁ ୨୫ ପ୍ରତିଶତ ସଂକ୍ରମଣ ଦୂରହୋଇପାରିବ। ମହାମାରୀକୁ ରୋକିବା ପାଇଁ ବିଜ୍ଞାନସମ୍ମତ ମତ ନ ନେଲେ ଶଟ୍ଡାଉନର ପ୍ରଭାବ ସାମୟିକ ହେବ ବୋଲି ମଧ୍ୟ ସରକାରଙ୍କୁ ସୂଚନା ଦିଆଯାଇଥିଲେ ବି ଏହି ତଥ୍ୟ ଲୋକଲୋଚନକୁ ଅଣାଯାଇନଥିଲା। ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ( ଆଇସିଏମ୍ଆର୍) ଭଳି ପ୍ରମୁଖ ସଂସ୍ଥାର ଡାକ୍ତର, ମହାମାରୀ ବିଶେଷଜ୍ଞ ତଥା ଅନ୍ୟ ବିଶେଷଜ୍ଞମାନଙ୍କ ଦ୍ୱାରା ଅନୁଧ୍ୟାନ କରାଯାଇ ତଥ୍ୟ ପ୍ରସ୍ତୁତ କରାଯାଇଥିଲା। ଆଗାମୀ ଦିନରେ ସାର୍ବଜନୀନ ସଂକ୍ରମଣ ହେବା ସ୍ବାଭାବିକ ବୋଲି କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ନିଯୁକ୍ତ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ବିନୋଦ କେ. ପଲ୍ ଏହି ତଥ୍ୟକୁ ଆଧାର କରି ସରକାରଙ୍କୁ ଜଣାଇଥିଲେ। ନୀତି ଆୟୋଗର ସଦସ୍ୟ ପଲ୍ ସରକାରଙ୍କୁ ମଧ୍ୟ ଗୋଷ୍ଠୀ ସଂକ୍ରମଣ ସମ୍ବନ୍ଧରେ ଅବଗତ କରିଥିଲେ। ଲକ୍ଡାଉନ ଆର୍ଥିକ ବ୍ୟବସ୍ଥାରେ ଜଟିଳ ପରିସ୍ଥିତି ସୃଷ୍ଟି କରିବା ସହ ଗରିବଙ୍କ ଦୁଃଖ ଯନ୍ତ୍ରଣାର କାରଣ ହୋଇଥିବା ନିଜେ ମୋଦି ଏପ୍ରିଲ ୧୪ରେ ଲକ୍ଡାଉନ ବୃଦ୍ଧି କରିବା ସମୟରେ ସ୍ବୀକାର କରିଥିଲେ। ଅପର ପକ୍ଷରେ ପଲ୍ ଜଣାଇଥିଲେ ଯେ, ପ୍ରଥମ ଲକ୍ଡାଉନରେ ସଂକ୍ରମିତ ସଂଖ୍ୟା( ସେହି ଦିବସ ସୁଦ୍ଧା) ୪୦ ପ୍ରତିଶତ ହ୍ରାସ ପାଇଥିଲା ଓ ଚିକିତ୍ସା ବ୍ୟବସ୍ଥାରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଳମ୍ବ ହୋଇଥିଲା । ଏହି ସମୟରେ ପ୍ରତି ଘରକୁ ଯାଇ ନମୁନା ସଂଗ୍ରହ କରି ପରୀକ୍ଷା କରିବା, ସଂକ୍ରମିତ ଅଞ୍ଚଳରେ କୋଭିଡ-୧୯ ଲକ୍ଷଣ ଥିବା ଲୋକମାନଙ୍କୁ କ୍ୱାରାଣ୍ଟାଇନରେ ରଖିବା ଭଳି ବ୍ୟାପକ ପଦକ୍ଷେପ ନିଆଯାଇଥିଲେ ସଂକ୍ରମଣକୁ ପ୍ରତିହତ କରାଯାଇପାରିଥାଆନ୍ତା ବୋଲି ପଲ୍ ସୂଚେଇ ଦେଇଥିଲେ। ଏହି ପଦକ୍ଷେପଗୁଡିକୁ ନେବା ପାଇଁ ଭଲ ଭାବେ ପ୍ରସ୍ତୁତ ହୋଇଥିଲେ ଲକ୍ଡାଉନ ଅଧିକ ସଫଳ ହୋଇଥାନ୍ତା। ପ୍ରଥମେ ଯେଉଁ ସମୟରେ ସରକାର ଲକ୍ଡାଉନ ଲାଗି ରାଜିହୋଇଥିଲେ ସେତେବେଳେ ଯୋଜନା ପ୍ରସ୍ତୁତ କରିବା ଏବଂ ସଂକ୍ରମଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ଗୋଟିଏ ସପ୍ତାହ ଆବଶ୍ୟକ ହୋଇଥାନ୍ତା। ଏହାଫଳରେ ଲକ୍ଡାଉନ ଶେଷ ହେବା ପୂର୍ବରୁ ସଂକ୍ରମଣର ସମ୍ପୂର୍ଣ୍ଣ ସ୍ଥିତି ଜଣାପଡିବା ସହ ଦେଶ ତଥା ଜିଲା ସ୍ତରରେ ନିର୍ଦ୍ଦିଷ୍ଟ ଭାବେ ସଂକ୍ରମିତଙ୍କ ସଂଖ୍ୟା ପଦାକୁ ଆସିପାରିଥାନ୍ତା। ଦେଶରେ ବହୁଳ ଭାବେ ଜ୍ୱର ଓ କାଶରେ ପୀଡିତ ଲୋକମାନଙ୍କ ପରୀକ୍ଷା କରିବା ପାଇଁ ସେ ମଧ୍ୟ କେତେକ ପ୍ରସ୍ତାବ ଦେଇଥିଲେ ପଲ୍। ଗରିବମାନଙ୍କୁ ଘରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା, ପ୍ରତ୍ୟେକ ରାଜ୍ୟ କୋଭିଡ୍-୧୯ ସ୍ଥିତି ପରଖି ସଂକ୍ରମଣ ଧାରାକୁ ନିୟନ୍ତ୍ରଣ କରିବା, ସଂକ୍ରମିତ ଓ କ୍ୱାରାଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତ୍ୱରିତ ସୂଚନା ପ୍ରଦାନ କରିବା, ବସ୍ତି ଅଞ୍ଚଳରେ ସେଣ୍ଟ୍ରାଲ କିମ୍ବା ହୋମ୍ କ୍ୱାରଣ୍ଟାଇନ ବ୍ୟବସ୍ଥା କରିବା, ସଂକ୍ରମଣ ସମୟରେ ହସ୍ପିଟାଲରେ ଆଇସିୟୁ ଓ ବେଡ୍ ସଂଖ୍ୟା ବୃଦ୍ଧି କରିବା ଆଦି ପଦକ୍ଷେପକୁ ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିତ୍ତ୍ରୁ ସ୍ପଷ୍ଟ ଜଣାପଡୁଛି,ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା କରୋନା ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ହୋଇ ନ ଥିଲା। ଏଥିପାଇଁ ଲକ୍ଡାଉନ ସତ୍ତ୍ୱେ ବି ବୈଜ୍ଞାନିକମାନେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଇବ ବୋଲି ଆକଳନ କରିଥିଲେ। ପଲ୍ ସୂଚାଇ ଦେଇଥିଲେ ଯେ,ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଲେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ବେଶି ସମୟ ଲାଗିବ। ଏହା ଉପରେ ସେ ଏକ ସାଂଖିକ ତଥ୍ୟ ବି ଉପସ୍ଥାପନ କରିଥିଲେ। ସେ କହିଥିଲେ , ଯଦି ଗୋଟିଏ ଅଞ୍ଚଳରେ ଦୈନିକ ୫୦୦ ଜଣ ସଂକ୍ରମିତ ହେବେ, ତେବେ ସରକାର ୧୫୦ ଭେଣ୍ଟିଲେଟର, ୩୦୦ ଆଇସିୟୁ ବେଡ୍ ଓ ୧୨୦୦ ରୁ ୬,୦୦୦ ସାଧାରଣ ବେଡ୍ ଆବଶ୍ୟକ କରିବେ। ପଲ୍ଙ୍କ ତଥ୍ୟ ବ୍ୟତୀତ ଆଇସିଏମ୍ଆର୍ ମଧ୍ୟ ଅନୁଧ୍ୟାନ ଭିତ୍ତିକ ତଥ୍ୟ ଉପସ୍ଥାପନ କରିଥିଲା; ଯାହା ଏକ ଭୟାନକ ପୂର୍ବାନୁମାନକୁ ଲୋକଲୋଚନକୁ ଆଣିପାରିଛି।
ଆଇସିଏମ୍ଆର୍ ଆକଳନ ମୁତାବକ ସମୟ ଅନୁସାରେ ବିଭିନ୍ନ ଅଞ୍ଚଳରେ ବହୁ ସଂଖ୍ୟାରେ ଲୋକେ କୋଭିଡ-୧୯ରେ ସଂକ୍ରମିତ( ଗୋଷ୍ଠୀ ସଂକ୍ରମଣ) ହେବା ସୁନିଶ୍ଚିତ। ଆଇସିଏମ୍ଆର୍ ଏହାକୁ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନ କରିଥିଲା ଓ ତାହାକୁ ଏପ୍ରିଲ ପ୍ରଥମ ସପ୍ତାହରେ ପଲଙ୍କ ନିକଟକୁ ପଠାଇଥିଲା। ଉଲ୍ଲେଖନୀୟ ଯେ, ଏଭଳି ପରିସ୍ଥିତି ଉପୁଜିବ ବୋଲି ପଲ୍ ମଧ୍ୟ ସରକାରଙ୍କୁ ଅବଗତ କରିଆସୁଥିଲେ। କେବଳ ଏତିକି ନୁହେଁ ଲକ୍ଡାଉନରେ କୋଭିଡ୍-୧୯ ସଂକ୍ରମଣକୁ ୪୦ ପ୍ରତିଶତ ହ୍ରାସ କରାଯିବା ଯାହା କୁହାଯାଉଥିତ୍ଲା ତାହା କେବଳ କାଗଜ କଲମରେ କଥା ବୋଲି ଆଇସିଏମ୍ଆର୍ ସ୍ପଷ୍ଟ କରିଛି। ବାସ୍ତବରେ ଲକ୍ଡାଉନରେ ସଂକ୍ରମଣ ୨୦ରୁ ୨୫ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି। ମୋଟ ଉପରେ ଦେଖିତ୍ଲେ ୨୧ ଦିନିଆ ଲକ୍ଡାଉନ ସଫଳତା ଉପରେ ସରକାର ଯେଉଁ ମତ ରଖିଥିଲେ ବୈଜ୍ଞାନିକମାନଙ୍କ ଆକଳନ କିନ୍ତୁ ତା’ର ସମ୍ପୂର୍ଣ୍ଣ ବିପରୀତ। ଏବେ ୨୧ ଦିନିଆ ଲକ୍ଡାଉନକୁ ଏପ୍ରିଲ ୧୪ରୁ ବଢାଇ ୩ ମେ’ ଯାଏ କରାଯାଇଛି। ଲକ୍ଡାଉନ ବୃଦ୍ଧି କରିବା ସମୟରେ ମୋଦି କହିଥିଲେ, ‘ଆମ ପାଖରେ ୫୫୦ଟି କରୋନା କେସ୍ ଥିବାବେଳେ ଆମେ ୨୧ ଦିନିଆ ଲକ୍ଡାଉନ ଭଳି ବଡ ପଦକ୍ଷେପ ନେଇଥିଲୁ। ଭାରତ ସମସ୍ୟାକୁ ଗୁରୁତର ହେବାକୁ ଦେଇ ନ ଥିଲା। ବରଂ ଯେମିତି କରୋନା କେସ୍ ସାମ୍ନାକୁ ଆସିଥିଲା ଯଥାଶୀଘ୍ର ଆମେ ସମସ୍ୟାକୁ ସେଇଠି ରୋକିବାକୁ ପ୍ରୟାସ କରିଥିଲୁ।’ ଏପ୍ରିଲ ୧୪ରେ ଲକ୍ଡାଉନ ସଫଳ ହୋଇଥିଲା ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ଗ୍ରାଫ୍ ପ୍ରକାଶ କରିଥିଲା। ଲକ୍ଡାଉନ ଓ କଣ୍ଟେନମେଣ୍ଟ ଦ୍ୱାରା ଏପ୍ରିଲ ୧୦ ସୁଦ୍ଧା କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୨,୦୮,୦୦୦ ବଦଳରେ ୭,୪୭୭ରେ ସୀମିତ ରଖାଯାଇଥିବା ମଧ୍ୟ ଏଥିରେ ଦର୍ଶାଯାଇଥିଲା। କିନ୍ତୁ ଗ୍ରାଫ୍ରେ ଠିକ୍ ତଥ୍ୟ ପ୍ରଦାନ କରାଯାଇ ନ ଥିଲା। ସରକାର ପ୍ରଦାନ କରିଥିବା ସଂଖ୍ୟାର ମୂଲ୍ୟ ମଧ୍ୟ ନ ଥିଲା। କାରଣ ପରୀକ୍ଷା ହାର ଭାରତରେ ସବୁଠୁ କମ୍ ରହିଥିଲା। ଏପ୍ରିଲ ଅଧା ସୁଦ୍ଧା ବିନା କଣ୍ଟାକ୍ଟ ହିଷ୍ଟ୍ରିରେ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପରୀକ୍ଷାରୁ ବାଦ ଦିଆଯାଇଥିଲା ବୋଲି ନ୍ୟାଶନାଲ ହେଲ୍ଥ ସିଷ୍ଟମସ୍ ରିସୋର୍ସ ସେଣ୍ଟରର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟି . ସୁନ୍ଦରରମଣ ପ୍ରକାଶ କରିଥିଲେ। ବାସ୍ତବରେ ବିଳମ୍ବରେ ସରକାର ପରୀକ୍ଷା ହାରରେ ଉନ୍ନତି ଆଣିବା ପରେ ଦିଲ୍ଲୀ, ମୁମ୍ବାଇ ଭଳି ମହାନଗରରେ ହଟ୍ସ୍ପଟ ଓ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ବୃଦ୍ଧିପାଇଛି। ଦେଶରେ ମୋଟ୍ କରୋନା ସଂକ୍ରମିତ ସଂଖ୍ୟାର ଏକ ଚତୁର୍ଥାଂଶ ରହିଛନ୍ତି ଦିଲ୍ଲୀରେ। ଲକ୍ଡାଉନର ଏକ ସପ୍ତାହ ପରେ ଅର୍ଥାତ୍ ୩୧ ମାର୍ଚ୍ଚରେ ସରକାର ସୁପ୍ରିମକୋର୍ଟରେ ନିଜର ଦାବି ଉପସ୍ଥାପନ କରିଥିଲେ ଯେ ଚିକିତ୍ସା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓ ବିଶେଷଜ୍ଞମାନଙ୍କ ପରାମର୍ଶ ଗ୍ରହଣ କରି ସାମାଜିକ ଦୂରତ୍ୱ ନିଶ୍ଚିତ କରିବା ସହ ସଂକ୍ରମଣ ଚେନ୍କୁ ଭାଙ୍ଗିବା ଲାଗି ଦେଶରେ ଲାକ୍ଡାଉନ ଘୋଷଣା କରାଯାଇଥିଲା। ବିଶେଷଜ୍ଞମାନଙ୍କ ସହ ବିଚାରବିମର୍ଶ କରାଯାଇ ସମ୍ଭାବ୍ୟ ପରିସ୍ଥିତିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ସଂକ୍ରମଣର ସମ୍ଭାବନା ଥିବା ଲୋକମାନଙ୍କର ସୀମିତ ପରୀକ୍ଷା, ସମ୍ଭାବ୍ୟ ହଟ୍ସ୍ପଟର କମ୍ ନିରୀକ୍ଷଣ କରି ସରକାର କେବଳ ଲୋକାଲ ସଂକ୍ରମଣ କଥା କହିବାରେ ଲାଗିଲେ।
ଏବେ ଆଇସିଏମ୍ଆର୍ର ସୁପାରିସରେ କୁହାଯାଇଛି ଯେ,କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କୁ କିଛି ଖାସ୍ ପଦକ୍ଷେପ ନେବାକୁ ହେବ। ଘରେ ଘରେ ଯାଞ୍ଚ ପ୍ରକ୍ରିୟା ଏବଂ ସଂକ୍ରମଣ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କ ପାଇଁ ଅଧିକ କ୍ୱାରାଣ୍ଟାଇନ ବ୍ୟବସ୍ଥା ଉପରେ ପଦକ୍ଷେପ ନ ନେଇ ସରକାର ଯଦି ଲକ୍ଡାଉନ ଉଠାଇଦିଅନ୍ତି ତେବେ ସଂକ୍ରମଣ ପୁଣି ବ୍ୟାପିବ ବୋଲି ଆଇସିଏମ୍ଆର ତା’ ଇଣ୍ଟରନାଲ ଡ୍ରାଫ୍ଟରେ ପ୍ରକାଶ କରିଛି। ଦିଲ୍ଲୀର ସଂକ୍ରମଣ ତଥ୍ୟକୁ ବିଶ୍ଳେଷଣ କରିବା ପରେ ଲକ୍ଡାଉନ କିଭଳି ସାରା ଦେଶରେ ସଂକ୍ରମଣକୁ ପ୍ରଭାବିତ କରିବ ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛି। ୨୧ ଦିନିଆ ଲକଡାଉନ ସତ୍ତ୍ୱେ ବି ଦେଶରେ ୧.୩ ମିଲିଅନ ସଂକ୍ରମିତ ହେବା ଆଶଙ୍କା ରହିଛି। ଆଇସିଏମ୍ଆର୍ ଆକଳନ ଅନୁସାରେ ଲକଡାଉନ କୋଭିଡ୍-୧୯ ସଂକ୍ରମଣରେ ରୋକ ଲଗାଇପାରେ, କିନ୍ତୁ ବିନା ଲକ୍ଡାଉନରେ ପ୍ରଥମ ରୋଗୀ ଚିହ୍ନଟ ହେବା ପରେ ୧୦୦ରୁ ୧୫୦ ଦିନ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଅପରପକ୍ଷେ ଲକ୍ଡାଉନରେ ଏହା ୧୫୦ରୁ ୨୦୦ ଦିନ ମଧ୍ୟରେ ଘଟିବ। ଏପରି କି ଶେଷରେ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ସମାନ ହୋଇପାରେ।
ମୋଦି ଏପ୍ରିଲ ୧୪ରେ ଲକ୍ଡାଉନ ମେ’୩ ଯାଏ ବୃଦ୍ଧି କରିଛନ୍ତି। ଆଇସିଏମ୍ଆର୍ କହିଛି ଯେ,କରୋନା ସଂକ୍ରମଣ ଉପରେ ଏହାର କମ୍ ପ୍ରଭାବ ରହିବ ଓ ଏହାକୁ ଠିକ ଭାବେ କାର୍ଯ୍ୟକାରୀ କରିବାରେ ଦେଶ ବିଭିନ୍ନ ସମସ୍ୟାର ଆହ୍ବାନର ସମ୍ମୁଖୀନ ହେବ। ତ୍ୱରିତ କ୍ୱାରାଣ୍ଟାଇନ ଏକମାତ୍ର ଉପାୟ ଯେଉଁଥିରେ କରୋନାକୁ ରୋକିହେବ ବୋଲି ଆଇସିଏମ୍ଆର୍ ଦର୍ଶାଇଛି। କେବଳ ସଂକ୍ରମିତ ନୁହନ୍ତି, ବରଂ ଯେଉଁମାନଙ୍କଠାରେ ଲକ୍ଷଣ ପ୍ରକାଶ ପାଉଛି ସେମାନଙ୍କ କ୍ୱାରାଣ୍ଟାଇନରେ ରଖିତ୍ବାକୁ ପରାମର୍ଶ ଦେଇଛି। ଏଣୁ ଆଞ୍ଚଳିକ ଭିତ୍ତିରେ ପରୀକ୍ଷାକୁ ତ୍ୱରାନ୍ବିତ କରିବା ସହ କ୍ୱାରାଣ୍ଟାଇନ ବଢାଇ ଲକ୍ଷଣ ପ୍ରକାଶ ପାଉଥିତ୍ବା ବ୍ୟକ୍ତିଙ୍କୁ କେଉଁ ସମୟ ମଧ୍ୟରେ କ୍ୱାରାଣ୍ଟାଇନରେ ରଖାଯିବ ତାହା ମଧ୍ୟ ବୈଜ୍ଞାନିକମାନେ ଜଣାଇଥିଲେ । କିନ୍ତୁ ଏବେସୁଦ୍ଧା ସରକାର କେବଳ ପରୀକ୍ଷାରେ ଯେଉଁମାନଙ୍କ ପଜିଟିଭ ଚିହ୍ନଟ ହୋଇଛନ୍ତି କିମ୍ବା ସ୍ବେଚ୍ଛାକୃତ ଭାବେ ସରକାରଙ୍କ ନିକଟରେ ପହଞ୍ଚୁଛନ୍ତି ସେମାନଙ୍କୁ କ୍ୱାରଣ୍ଟାଇନରେ ରଖାଯାଉଛି। କରୋନାର ମୁକାବିଲା ଲାଗି ଅଧିକ ନିରୀକ୍ଷଣ, ଘରକୁ ଯାଇ ପରୀକ୍ଷା କରବା ଓ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କୁ କ୍ୱାରାଣ୍ଟାଇନରେ ରଖିବାକୁ ବି ସେମାନେ କହିଛନ୍ତି। ସରକାର ୨୪ ମାର୍ଚ୍ଚରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଲକ୍ଡାଉନ ଏକ ବାଟ ବୋଲି କହିଥିଲେ । କିନ୍ତୁ ବୈଜ୍ଞାନିକମନେ କହିଛନ୍ତି ଲକଡାଉନ ସଂକ୍ରମଣ ଚେନ୍ ଭାଙ୍ଗିବାର ଏକ ମାତ୍ର ବାଟ ନୁହେଁ। ଭାରତ ଠିକ୍ ସମୟରେ ପଦକ୍ଷେପ ନେଇ ନଥିଲେ ଦେଶର ପରିସ୍ଥିତି କ’ଣ ହୋଇଥାଆନ୍ତା ବୋଲି ୧୪ ଏପ୍ରିଲରେ ମୋଦି ଲକ୍ଡାଉନ ବୃଦ୍ଧି କରିବା ବେଳେ ଏହା କହିଥିଲେ। ଅତୀତରୁ ଏହା ସ୍ପଷ୍ଟ ଯେ, ‘ଆମେ ଯେଉଁ ପଥ ଆପଣାଇଥିଲୁ ତାହା ଠିକ ଥିଲା। ଲକ୍ଡାଉନ ଓ ସାମାଜିକ ଦୂରତ୍ୱରୁ ଦେଶ ବହୁ ଫାଇଦା ପାଇଛି। ଭାରତରେ ଏବେ ୧ ଲକ୍ଷ ବେଡ୍ ରହିଛି ଓ ୬୦୦ ହସ୍ପିଟାଲ ବି ପ୍ରସ୍ତୁତ ରହିଛି ।’ ବାସ୍ତବ ସ୍ଥିତି କ’ଣ ତାହା ସମୟ କହିବ। ଦେଶରେ ଯଦି ମୋଦି ସରକାର ତୃତୀୟ ଲକ୍ଡାଉନ ଯୋଜନା କରିବେ ତେବେ ସେଥିରେ ସାମୟିକ ପ୍ରଭାବ ପରିଲକ୍ଷିତ ହେବାର ଆଶଙ୍କା ରହିଛି ବୋଲି ଶୀର୍ଷ ବୈଜ୍ଞାନିକମାନେ ଦର୍ଶାଇଛନ୍ତି।
(ସୌଜନ୍ୟ: ହପ୍ପୋଷ୍ଟ ଇଣ୍ଡିଆ)