ଲକ୍‌ଡାଉନ୍‌କୁ ନେଇ କଡା ହେଲେ କେନ୍ଦ୍ର ସରକାର: ସିଲ୍‌ ହେବ ରାଜ୍ୟ, ଜିଲାର ସୀମା

ନୂଆଦିଲ୍ଲୀ,୨୯।୩: କରୋନା ଭାଇରସକୁ ନେଇ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ରାଜଧାନୀ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାରେ ଏହାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରମିକ। ଏହାକୁ ଦେଖିବା ପରେ ଏବେ କେନ୍ଦ୍ର ସରକାର ଲକ୍‌ଡାଉନକୁ ନେଇ ଏବେ କଡା ପଦକ୍ଷେପ ନେବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏବେ ଲକ୍‌ଡାଉନ୍‌ କ୍ଷମତା ଜିଲାପାଳ ଓ ଏସ୍‌ପିଙ୍କ ହାତରେ ନ୍ୟସ୍ତ କରାଯାଇଛି। ଏମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସମସ୍ତ ରାଜ୍ୟ ଓ ଜିଲାର ସୀମାକୁ ସିଲ୍‌ କରିଦିଆଯାଉ। ଫଳରେ ବାହାରୁ ଆସୁଥିବା ଲୋକେ ସୀମା ବାହାରେ ଥିବା କ୍ୟାମ୍ପରେ ରୁହନ୍ତୁ। କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଶ୍ରମିକମାନଙ୍କୁ ରହିବା ଖାଇବାର ବ୍ୟବସ୍ଥା କରାଯାଉ। ଆଉ ଯିଏ ଏହି ନିୟମ ପାଳନ ନ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ସେହିପରି ଯେଉଁ ଲୋକମାନେ ସହର ଭିତରୁ ରାଜପଥ ଉପରକୁ ଆସୁଛନ୍ତି ସେମାନଙ୍କୁ ବାରଣ କରାଯାଉ। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଦିନକ ପୂର୍ବରୁ ରାଜଧାନୀ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାରେ ହଜାର ହଜାର ଶ୍ରମିକ ଘରକୁ ଆସିବାକୁ ଏକାଠି ହୋଇଥିଲେ। ଏହାକୁ ଦେଖିଲେ ସ୍ପଷ୍ଟ ପାରି ହୋଇ ପଡୁଥିଲା କି ସରକାରଙ୍କ ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଭାବେ ଫେଲ୍‌ ମାରିବ ଓ କରୋନା ଭାଇରସ ସଂକ୍ରମଣ ବି ଦ୍ରୁତ ଗତିରେ ହେବ। ଏଭଳି ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ତୁରନ୍ତ ରାଜ୍ୟ ଓ ଜିଲା ଗୁଡିକର ସୀମାକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Share