ଲକ୍‌ଡାଉନ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ତେବେ କରୋନାର ମୁକାବିଲା କରିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବେଳେ ଏହାକୁ କେତେଜଣ ସାଧାରଣ ଜନତା ପାଳନ କରୁ ନ ଥିବା ଦେଖାଯାଇଛି। ରବିବାର ‘ଜନତା କର୍ଫ୍ୟୁ’କୁ ଲୋକେ ଯେଉଁଭଳି ଭାବେ ପାଳନ କଲେ ତାହା ସ୍ବାଗତଯୋଗ୍ୟ। ହେଲେ ଦେଶର ଯେଉଁ ସହରରେ କରୋନା ପଜିଟିଭ ଥିବା ରୋଗୀ ରହିଛନ୍ତି ସେହିଭଳି ପ୍ରାୟ ୭୫ ଜିଲାକୁ କେନ୍ଦ୍ର ସରକାର ମାର୍ଚ୍ଚ ୨୩ ସୋମବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରିବାକୁ ଘୋଷଣା କରିଥିବା ବେଳେ ଏହାକୁ କିନ୍ତୁ ଅଧିକାଂଶ ଲୋକେ ପାଳନ ନ କରିଥିବା ଦେଖାଯାଇଛି। ସୋମବାର ସକାଳୁ ବିଭିନ୍ନ ସହରରେ ଲୋକେ ଏଣେତେଣେ ବୁଲିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏବେବି ଦେଖାଯାଉଛି ଲୋକେ ଏଣେତେଣେ ବୁଲୁଛନ୍ତି। ମୋଦି ଅନୁରୋଧ କରି କହିଛନ୍ତି ଦୟାକରି ନିଜକୁ ଓ ନିଜ ପରିବାରକୁ ରକ୍ଷା କରନ୍ତୁ। ନିୟମକୁ କଡାକଡି ପାଳନ କରନ୍ତୁ। ଏହାପରେ କେନ୍ଦ୍ର ସରକାର ଲକ୍‌ଡାଉନ୍‌ କରାଯାଇଥିବା ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Share