ଲକ୍‌ଡାଉନ୍‌କୁ ନେଇ ପୁରୀ ପୋଲିସର କଡ଼ା ଆଭିମୁଖ୍ୟ: ୩୦ ବାଇକ୍‌ ଜବତ, ସାମାଜିକ ଦୂରତ୍ୱ ରକ୍ଷା ଲାଗି ବ୍ୟବସାୟୀଙ୍କୁ ତାଗିଦ୍‌

ପୁରୀ ଅଫିସ,୨୫।୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ହୋଇଥିବା ଲକ୍‌ଡାଉନ୍‌କୁ କଡ଼ାକଡ଼ି କରିବା ଲାଗି ପୁରୀ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୁଧବାର ଲକ୍‌ଡାଉନ୍‌ର ଚତୁର୍ଥ ଦିନରେ ପୋଲିସ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୩୦ଟି ବାଇକ୍‌କୁ ଜବତ କରିଛି। ୨୦ଟି ପାଟ୍ରୋଲିଂ ଗାଡ଼ି ସହରର ବିଭିନ୍ନ ଗଳିକନ୍ଦି ବୁଲି ଲୋକମାନଙ୍କୁ ବାହାରକୁ ନ ବାହାରିବା ଲାଗି ସଚେତନ କରାଉଛନ୍ତି। ତଥାପି ଅନେକେ ଲୋକ ବାହାରେ ବୁଲୁଥିବାରୁ ପୋଲିସ ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରୁଛି। ଯେଉଁ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେଉଥିବା ଦୋକାନରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉନାହିଁ, ସମ୍ପୃକ୍ତ ବ୍ୟବସାୟୀଙ୍କୁ ମଧ୍ୟ ତାଗିଦ୍‌ କରାଯାଉଛି ବୋଲି ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ଲକ୍‌ଡାଉନ୍‌ ନିୟମକୁ କେହି ଉଲ୍ଲଂଘନ ନ କରି ସମସ୍ତଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଘରେ ରହିବାକୁ ପୁରୀ ଜିଲା ପ୍ରଶାସନ ପକ୍ଷରୁ କୁହାଯାଉଛି।

Share