ଲକ୍‌ଡାଉନ୍‌ରେ ଗରିବ ପେଟର କଥା: ମାଗଣା ଭୋଜନ ପାଇଁ ସକାଳ ୬ରୁ ଲାଗୁଛି ଲମ୍ବା ଧାଡ଼ି

ନୂଆଦିଲ୍ଲୀ,୧୩।୪: କରେନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତରେ ଲକ୍‌ଡାଉନ୍‌ରେ ଜାରି ହୋଇଛି। ସ୍ବଚ୍ଛଳ ଲୋକଙ୍କ ପାଖରେ ଟଙ୍କା ଥିବାରୁ ଖାଇବାରେ ଅସୁବିଧା ହେଉ ନ ଥିବାବେଳେ ଦିନ ମଜୁରିଆ, ଶ୍ରମିକ ଏବଂ ବାରାବୁଲା ଆଦି ଦିନେ ଖାଇ ଦିନେ ଉପାସ ରହୁଥିବା ଗରିବଙ୍କ ଲାଗି ଉତ୍କଟ ଖାଦ୍ୟ ସମସ୍ୟା ଦେଖାଦେଇଛି। ଏପରିସ୍ଥଳେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମାଗଣା ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ତେବେ ଏଠାରେ ମଧ୍ୟ କରୋନା ସହିତ ଯୁଝୁଥିବା ଭୋକିଲା ଲୋକଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ସଂଗ୍ରାମ କରୁଥିବାର ଦେଖାଯାଉଛି। ଗଣ୍ଡେ ମଧ୍ୟାହ୍ନ ଭୋଜନ ଲାଗି ଲୋକେ ସାମାଜିକ ଦୂରତାକୁ ବଜାୟୀ ରଖି ସକାଳ ୬ରୁ ଖରାରେ ଧାଡ଼ି ବାନ୍ଧୁଛନ୍ତି। ଖରା ବଢ଼ିଲେ ଲୋକେ ସାଙ୍ଗରେ ଆଣିଥିବା ବ୍ୟାଗ୍‌, ଥାଳି ଅବା ପ୍ଲାଷ୍ଟିକ୍‌ ପାତ୍ର ଧାଡ଼ିରେ ରଖି ନିକଟରେ ଥିବା ପ୍ରାଚୀର ଛାଇରେ ଯାଇ ଛିଡ଼ା ହୋଇ ନିଜ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ଉତ୍ତର ଦିଲ୍ଲୀର ବାଦଲିଠାରେ ଥିବା ସରକାରୀ ସ୍କୁଲ ଆଗରେ ପୂର୍ବରୁ ଏଭଳି ୫୦୦ରୁ ଅଧିକ ଭୋକିଲାଙ୍କୁ ଦେଖିବାକୁ ମିଳୁଛି। ମାଗଣା ମଧ୍ୟାହ୍ନ ଭୋଜନ ମିଳୁଥିବା ଖବର ପାଇ ଏବେ ଏଠାରେ ୧୨,୦୦ରୁ ଅଧିକ ଲୋକଙ୍କ ଗହଳି ହେଉଥିବା କୁହାଯାଉଛି। ଦିଲ୍ଲୀରେ ଏଭଳି ୨୫,୦୦ ମାଗଣା ଖାଦ୍ୟ କେନ୍ଦ୍ର ଖୋଲା ଯାଇଛି। ତେବେ ବି ଭୋକିଲାଙ୍କ ପେଟ ପୁରାଇବାରେ ସରକାର ଅକ୍ଷମ। କରୋନା ସଙ୍କଟରେ ବି ସେମାନଙ୍କ ଆଖିରେ ଭରି ରହିଛି ଆଗାମୀ ଆଶାର ଉଜ୍ଜଳ ଆଲୋକ।

Share