ଲକ୍‌ଡାଉନ୍‌ରେ ଚୋରା ମଦ ବେପାରର ପର୍ଦ୍ଦଫାଶ

ଲକ୍‌ଡାଉନ୍‌ରେ ଚୋରା ମଦ ବେପାରର ପର୍ଦ୍ଦଫାଶ
ବଲାଙ୍ଗୀର ଅଫିସ, ୧୬ା୪- କରୋନା ଲକ୍‌ଡାଉନ୍‌ ନିୟମ ଲାଗୁ ହେବା ପରେ ମଦ ବେପାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ବଲାଙ୍ଗୀର ସହର ଓ ଜିଲାର ବିଭିନ୍ନ ସ୍ଥାନରେ ଚୋର ଦେଶୀ ଓ ବିଦେଶୀ ମଦ ବେପାର ଜୋରସୋର ଚାଲିଥିବା ବିଭିନ୍ନ ସୂତ୍ରରୁ ଖବର ମିଳୁଛି। ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ୍‌, ଭାଟି, ବାର୍‌ ସେଣ୍ଟର ସମେତ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ରହିଛି। ତେବେ ସହରର କେତେକ ବିଦେଶୀ ମଦ ଦୋକାନ ଓ ବାର୍‌ ସେଣ୍ଟର ଥିତ୍ବା ହୋଟେଲରେ ବେଆଇନ୍‌ ଭାବେ ମଦ କାରବାର ଚାଲିଥିଲା। ବାହାର ପଟୁ ଉକ୍ତ ମଦ ଦୋକାନ ଓ ବାର୍‌କୁ ସିଲ୍‌ କରାଯାଇଥିଲେ ମଧ୍ୟ ଭିତର ପଟୁ ବେପାର ଚାଲିଥିଲା। ଏ ନେଇ ଅବଗତ ଥାଇ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ କିଛି ବି ବିହିତ ପଦକ୍ଷେପ ନିଆଯାଇ ନ ଥିଲା। କେବଳ ନାମକୁ ମାତ୍ର ମଦ ଦୋକାନ ଗୁଡିକୁ ସିଲ୍‌ କରାଯାଇଛି କୁହାଯାଇଥିଲା। ଲକ୍‌ଡାଉନ୍‌ ସମୟରେ ସହରର ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଶୁନ୍‌ଶାନ୍‌ ରହୁଥିବାରୁ ମଦ ବେପାରୀମାନେ ବିନା ବାଧାରେ ବେପାର ଜମାଇଥିଲେ। ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦକୁ ଚଢ଼ା ଦରରେ ବିକ୍ରିକରି ଲକ୍ଷାଧିକ ଟଙ୍କା ମୁନାଫା କରିଛନ୍ତି। ସହରର ରେଲୱେ ଷ୍ଟେଶନ୍‌ ଛକ, ରମାଇ ଟକିଜ୍‌ ରାସ୍ତା, ଭାଗିରଥି ଛକ, ବିଜାଖମନ୍‌ ନିକଟରେ ଥିବା ମଦ ଦୋକାନ ଓ ବାର୍‌ରେ ଜୋରସୋର ମଦ ବିକ୍ରି ଚାଲିଥିଲା। ଗତ ୨୨ ଦିନର ଲକ୍‌ଡାଉନ୍‌ ଭିତରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ ବିଭାଗ ସହରର କୌଣସି ଗୋଟିଏ ବାର୍‌ ବା ମଦ ଦୋକାନରେ ଚଢ଼ାଉ କରିପାରିନଥିଲା। ତେବେ ପୋଲିସ ଗୁରୁବାର ରେଲୱେ ଷ୍ଟେଶନ୍‌ ଛକ ନିକଟ ଇନ୍ଦ୍ରପ୍ରସ୍ଥ ହୋଟେଲ ଓ ବାର୍‌ରେ ଅତର୍କିତ ଚଢ଼ାଉ କରିବା ପରେ ସେଠାରୁ ବିଭିନ୍ନ ବ୍ରାଣ୍ଡର ୮୦ ବୋତଲ ବିଦେଶୀ ମଦ ଜବତ କରିବା ସହ ଜଣେ କର୍ମଚାରୀ ମହେଶ୍ୱର ରଥ (୩୬)ଙ୍କୁ ପୋଲିସ ଗିରଫ କରିଛି। ଏହି ବେଆଇନ୍‌ ମଦ ବିକ୍ରି ଘଟଣାରେ ଇନ୍ଦ୍ରପ୍ରସ୍ଥ ହୋଟେଲ ମାଲିକ ରାମ ଦାଶ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ଟାଉନ୍‌ ଥାନାରେ ଏକ ମାମଲା(୧୮୫/୨୦) ରୁଜୁ କରାଯାଇଥିତ୍ବା ଟାଉନ୍‌ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ଇନ୍ଦ୍ରପ୍ରସ୍ଥ ହୋଟେଲ ବାର୍‌ ବନ୍ଦ ଥିତ୍ବା କୁହାଯାଉଥିବାବେଳେ ସେଠାରେ ଏତେ ପରିମାଣର ବିଦେଶୀ ମଦ ଜବତ୍‌ ଘଟଣା ସହରର ଚୋର ମଦ ବେପାରକୁ ପ୍ରମାଣିତ କରିଛି। ପୋଲିସ ବିଭାଗ ପକ୍ଷରୁ ମଦ ଜବତ୍‌ କରାଯାଇଥିତ୍ବାବେଳେ ଅବକାରୀ ବିଭାଗର ଭୂମିକା ସନ୍ଦେହଜନକ ହୋଇପଡିଛି। ଏନେଇ ଅବକାରୀ ଭାରପ୍ରାପ୍ତ ଅଧିକ୍ଷକ ସିଦ୍ଧେଶ୍ୱର ବେଶ୍ରାଙ୍କୁ ପଚରାଯିବାରୁ ଆମେ ବିଭିନ୍ନ ମଦ ଦୋକାନକୁ ସିଲ କରିଛୁ, ପେଟ୍ରୋଲିଂ କରୁଛୁ। ଇନ୍ଦ୍ରପ୍ରସ୍ଥ ହୋଟେଲକୁ ଆମେ ଯାଇଥିଲୁ, ମାତ୍ର କିଛି ମିଳି ନ ଥିଲା ବୋଲି କହିଛନ୍ତି।

Share