ଲକ୍‌ଡାଉନ୍‌ରେ ଫି’କୁ ନେଇ ଘରୋଇ ସ୍କୁଲ ଉପରେ ସରକାରଙ୍କ ଛାଟ

ନୂଆଦିଲ୍ଲୀ,୧୭।୪: ଦିଲ୍ଲୀରେ ଲକ୍‌ଡାଉନ୍‌ ସମୟରେ ଅଭିଭାବକଙ୍କଠାରୁ ମିଳୁଥିବା ଅଭିଯୋଗକୁ ଧ୍ୟାନରେ ରଖି ଉପମୂଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଡିଆ ସ୍କୁଲମାନଙ୍କ ପାଇଁ ଏକ କଡ଼ା ନିୟମ ତିଆରି କରିଛନ୍ତି। ଶୁକ୍ରବାର ଏନେଇ ସିସୋଡିଆ ଟୁଇଟ କରିଛନ୍ତି। ରାଜ୍ୟର ସମସ୍ତ ଘରୋଇ ସ୍କୁଲଗୁଡ଼ିକ ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତ ଶିକ୍ଷାଦାନ, ଅଣଶିକ୍ଷାଦାନ ଓ ଚୁକ୍ତିନାମା ଶିକ୍ଷୟତ୍ରୀ ଏବଂ ଶିକ୍ଷକଙ୍କୁ ଠିକ୍‌ ସମୟରେ ବେତନ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିର୍ଦ୍ଦେଶ ଅନୁସାରେ ସରକାରଙ୍କ ବିନା ଅନୁମତିରେ ଦିଲ୍ଲୀର କୌଣସି ଘରୋଇ ସ୍କୁଲ ଫି’ ବୃଦ୍ଧି କରିପାରିବେ ନାହିଁ। ଏତଦ୍‌ ବ୍ୟତୀତ କୌଣସି ସ୍କୁଲ ଏକାସାଙ୍ଗରେ ୩ମାସର ଫି’ ଆଦାୟ କରିପାରିବେ ନାହିଁ। ଗୋଟିଏ ମାସର ଟ୍ୟୁସନ୍‌ ଫି’କୁ ଛାଡିଦେଲେ ଅନ୍ୟ କୌଣସି ଫି’ ନେଇପାରିବେ ନାହିଁ ବୋଲି କେଜରିଓ୍ବାଲ କହିଛନ୍ତି। ଯଦି ଫି’ ଦେଇ ନ ଥିବା ପିଲାଙ୍କୁ କୌଣସି ସ୍କୁଲ ଅନ୍‌ଲାଇନ୍‌ ଶିକ୍ଷାଦାନରୁ ବଞ୍ଚିତ କରେ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନ୍ୟ ଏକ ଟୁଇଟରେ ସିସୋଡିଆ ଉଲ୍ଲଖ କରିଛନ୍ତି। ସୂଚନା ମୁତାବକ ପୂର୍ବରୁ ଘରୋଇ ସ୍କୁଲଗୁଡ଼ିକ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା। କେତେକ ସ୍କୁଲ ମନଇଛା ସ୍କୁଲ ଫି’ ବୃଦ୍ଧି କରୁଥିବା ବେଳେ ସ୍କୁଲ ବନ୍ଦ ହେବା ପରେ ବି ପରିବହନ ଫି’ ଶୁଳ୍କ ଆଦାୟ କରାଯାଉଛି ବୋଲି ଅଭିଭାବକମାନେ ବୋଲି ଅଭିଯୋଗ କରିଥିଲେ। ତେବେ କରୋନା ଓ ଅଭିଭାବକଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସିସୋଡିଆ କହିଛନ୍ତି।

Share