ଲକ୍‌ଡାଉନ୍‌ରେ ବି ଜାରି ରହିଛି ଲକ୍ଷ୍ମୀ-ନୃସିଂହ ମନ୍ଦିର ନିର୍ମାଣ କାର୍ଯ୍ୟ: ଖର୍ଚ୍ଚ ହେବ ୧୮୦୦ କୋଟି

ହାଇଦ୍ରାବାଦ,୨୮।୫: କରୋନା ମହାମାରୀରେ ମଧ୍ୟ ତେଲଙ୍ଗାନାରେ ନିର୍ମିତ ହେଉଥିବା ଲକ୍ଷ୍ମୀ-ନୃସିଂହ ମନ୍ଦିର ନିର୍ମାଣ କାର୍ଯ୍ୟ ଅଟକି ଯାଇନାହିଁ। ଏହି ମନ୍ଦିର ସ୍ଥାନୀୟ ୟଦାଦ୍ରୀ ଭୁବନଗିରି ଜିଲାରେ ରହିଛି। ଏହି ଜିଲାରେ କୌଣସି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନ ଥିବାରୁ ଏଠାରେ ମନ୍ଦିର ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇ ନ ଥିଲା। ତେବେ ନିର୍ମାଣ ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବା ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୁରୁଣା ମନ୍ଦିର ୯ ଏକର ପରିମିତ ଜମିରେ ରହିଥିବାବେଳେ ଏହାର ପରିସୀମାକୁ ବୃଦ୍ଧି କରାଯାଇଛି। ମନ୍ଦିର ନିର୍ମାଣ ପାଇଁ ୧୯୦୦ ଏକର ଜମିକୁ ୩୦୦ କୋଟି ଟଙ୍କାରେ କିଣାଯାଇଛି। ମନ୍ଦିର ନିର୍ମାଣରେ ୩୯ କିଲୋଗ୍ରାମ୍‌ ସୁନା ଏବଂ ୧୭୫୩ ଟନ୍‌ ରୁପା ବ୍ୟବହୃତ କରାଯିବ। ମନ୍ଦିର ନିର୍ମାଣରେ ମୋଟ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି। ମନ୍ଦିର ଶିଖରରେ ୨୭ କିଲୋଗ୍ରାମ୍‌ ସୁନା ବ୍ୟବହାର କରାଯିବ। ମନ୍ଦିରର ପ୍ରବେଶ ଦ୍ୱାରରେ ୧୫୬ ଉଚ୍ଚ ତମ୍ବାରେ ନିର୍ମିତ ପ୍ରଭୁ ହନୁମାନଙ୍କ ମୂର୍ତ୍ତି ରହିବ। ଏହାକୁ ଲୋକେ ତେଲଙ୍ଗାନା ତିରୁପତି ମନ୍ଦିର ବୋଲି କହୁଛନ୍ତି। ୨୦୧୬ଠାରୁ ମନ୍ଦିର ନିର୍ମାଣ ଜାରି ରହିଥିବାବେଳେ ଏହା ଖୁବ୍‌ ଶୀଘ୍ର ଶେଷ ହେବାର ସମ୍ଭାବନା ରହିଛି।

Share