ଲକ୍‌ଡାଉନ୍‌ରେ ବୁଡ଼ିଯାଇଛି ଅର୍ଥନୀତି: ରାହୁଲଙ୍କୁ କହିଲେ ରାଜୀବ ବଜାଜ

ନୂଆଦିଲ୍ଲୀ, ୪।୬: ଲକ୍‌ଡାଉନ୍‌ ନେଇ ଏନ୍‌ଡିଏ ସରକାରଙ୍କୁ ବିରୋଧୀ କଂଗ୍ରେସ ଲଗାତାର ଘେରିବା ଉଦ୍ୟମ ଜାରି ରଖିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସମ୍ପର୍କିତ ପୁଣି ଏକ ଭିଡ଼ିଓ ରିଲିଜ୍‌ କରାଯାଇଛି। ଏକ ମିନିଟ୍‌ ୭ ସେକେଣ୍ଡର ଏହି ଭିଡ଼ିଓରେ ରାହୁଲ ଶିଳ୍ପପତି ରାଜୀବ ବଜାଜଙ୍କ ସହିତ ଦେଶର ସାମ୍ପ୍ରତିକ ସ୍ଥିତି ବିଷୟରେ ଆଲୋଚନା କରୁଥିବାର ଦେଖିବାକୁ ମିଳୁଛି। ରାଜୀବ ବଜାଜ‌ କହିଛନ୍ତି ଯେ, ଲକ୍‌ଡାଉନ୍‌ ଯୋଗୁ ଦେଶର ଅର୍ଥନୀତି ବୁଡ଼ିଯାଇଛି। ଲୋକେ ସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି। ମାତ୍ର ସତ କହିବାକୁ ଲୋକେ ଭୟ କରୁଛନ୍ତି। କରୋନା ସଙ୍କଟ ଦେଶରେ ସମସ୍ତଙ୍କ ପାଇଁ ଏକ ନୂଆ ପରିବେଶ ସୃଷ୍ଟି କରିଛି। ଭାରତରେ ହୋଇଥିବା ଲକ୍‌ଡାଉନ୍‌ ଅନ୍ୟ କୌଣସି ଦେଶରେ ହୋଇ ନ ଥିବା ରାଜୀବ କହିଛନ୍ତି। ସେହିପରି ରାହୁଲ କହିଛନ୍ତି ଯେ, ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇ ନ ଥିଲା। କିଛି ଲୋକ ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ। ମାତ୍ର ଦେଶରେ ଥିବା କୋଟି କୋଟି ଦିନମଜୁରିଆଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି। କେନ୍ଦ୍ର ସରକାର ଏବେ ରାଜ୍ୟ ସରକାରଙ୍କ ହାତ ଛାଡିଦେଇ ନିଷ୍ପତ୍ତିର ବୋଝ ଲଦି ଦେଇଥିବା ରାହୁଲ ଭିଡ଼ିଓରେ କହିଛନ୍ତି।

Share