ଲକ୍‌ଡାଉନ୍‌ରେ ବ୍ୟବସାୟ ମାନ୍ଦା: ଋଣଭାର ଶୁଝି ନ ପାରି ବ୍ୟବସାୟୀଙ୍କ ଆତ୍ମହତ୍ୟା ଅଭିଯୋଗ

କୋରୁକୋଣ୍ଡା,୫।୬(ଡି.ଏନ୍‌.ଏ): କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ମାତ୍ର ଏହା ଅର୍ଥନୀତି ଉପରେ ବିଶେଷ ପ୍ରଭାବ ପକାଇଛି। ଏଭଳି ପରିସ୍ଥିତିରେ ଋଣଭାର ଶୁଝି ନ ପାରି ଜଣେ ବ୍ୟବସାୟୀ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତ ଏମ୍‌ଭି-୩୭ ଗ୍ରାମରେ। ଗ୍ରାମର ସୁସେନ ହାଲଦାର(୫୧) ଦିବ୍ୟାଙ୍ଗ ହୋଇ ସୁଦ୍ଧା ନିଜକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିଥିଲେ। ସେ ଗାଁରେ ପରିବା ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉ ଥିଲେ। ମାତ୍ର ଲକ୍‌ଡାଉନ୍‌ ସମୟରେ ବ୍ୟବସାୟ ମାନ୍ଦା ହୋଇଯିବାରୁ ସେ ଋଣଭାର ଶୁଝି ପାରି ନ ଥିଲେ। ଋଣ ଆଣିଥିବା ଲୋକ ବାରମ୍ବାର ଫୋନ୍‌ କରି ଟଙ୍କା ମାଗୁଥିବାରୁ ଶେଷରେ ସେ ଏହିଭଳି ନିଷ୍ପତ୍ତି ନେଇଥିବା ପରିବାର ଲେକେ କହିଛନ୍ତି। ଗୁରୁବାର ମଧ୍ୟାହ୍ନରେ ଗାଁ ମଶାଣି ନିକଟରେ ବିଷପିଇ ସେ ଆତ୍ମହତ୍ୟା କରିଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଚାରିଆଡେ ଖୋଜାଖୋଜି କରିଥିଲେ। ପରେ ସନ୍ଧ୍ୟା ସମୟରେ ମଶାଣିରେ ମୃତଦେହ ପଡିଥିବା ଦେଖି ସେମାନେ ଓରକେଲ ଥାନା ପୋଲିସକୁ ଜଣାଇଥିଲେ। ଥାନାଧିକାରୀ ଜଗଦୀଶ ବାରାଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ ସୁଶୀଲ କୁମାର ଦାସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ମାଲକାନଗିରିକୁ ପଠାଇଥିଲେ।