ଲକ୍‌ଡାଉନ୍‌ରେ ରକ୍ତଦାନ ଶିବିର: ୧୪୧ ୟୁନିଟ ରକ୍ତ ସଂଗ୍ରହ

ରାଇକିଆ,୧୯ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ କଟକଣା ଯୋଗୁ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତାଭାବ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଇକିଆ ପୋଲିସ ଏବଂ ବଣିକ ସଂଘ ମିଳିତ ଭାବେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏଥିରେ ସ୍ବେଚ୍ଛାକୃତ ଭାବେ ବହୁସଂଖ୍ୟାରେ ଜନସାଧାରଣ ଯୋଗଦେଇ ରେକର୍ଡ ସଂଖ୍ୟାରେ ରକ୍ତଦାନ କରିଥିଲେ। ମୋଟ ୧୪୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପୂଜା କମିଟି, ନାଗରିକ ମଞ୍ଚ, ବଣିକ ସଂଘର ସଦସ୍ୟମାନେ ମଧ୍ୟ ରକ୍ତଦାନ କରିଥିଲେ। ଏହି ଶିବିରରେ ସାମାଜିକ ଦୂରତାକୁ ଧ୍ୟାନ ଦିଆଯାଇଥିଲା। ରାଇକିଆ ଥାନା ଅଧିକାରୀ ଅଲେଖ ଗରଡିଆଙ୍କ ତତ୍ତ୍ୱାବଧାନରେରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ରକ୍ତଭଣ୍ଡାର ଅଫିସର ଜୟଦୀପ କୁମାର ଘୋଷ, ରାଜ୍ୟ ରେଡକ୍ରସର ଆଜୀବନ ସଦସ୍ୟ ପ୍ରଶାନ୍ତ ବେହେରା, ଫୁଲବାଣୀ ଟିମ୍‌ ହ୍ୟୁମାନିଟି ଆବାହକ ଲୋକନାଥ ରାଜୁ, ବଣିକ ସଂଘ ସମ୍ପାଦକ ବିଜୟ କୁମାର ପଣ୍ଡା, ସାହାରା ସମ୍ପାଦକ ସୁକାନ୍ତ ନାୟକ, ପୂଜା କମିଟି ସଭାପତି ଡିଲୁ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା, ଡିଏସ୍‌ପି କେ. ପି. ପଟ୍ଟନାୟକ, ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ତହସିଲଦାର ସାରଦା କାନ୍ତି ଦଳେଇ, ରାଇକିଆ ମେଡିକାଲ ଅଫିସର ଯୋଗ ଦେଇ ଶିବିରର ଉଦ୍‌ଘାଟନ କରିଥିଲେ।

Share