ଲକ୍‌ଡାଉନ୍‌ରେ ଶିଶୁ, କିଶୋରଙ୍କୁ ସୃଜନଶୀଳ କରିବାକୁ ନିଆରା ପ୍ରୟାସ: ଆରମ୍ଭ ହେବ ‘ମୋ ପ୍ରତିଭା’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨ା୪(ବ୍ୟୁରୋ)- କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି ଦେଶରେ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏହାଦ୍ୱାରା ସବୁବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଏପରି କି କୋମଳମତି ଶିଶୁ, ଛୋଟ ପିଲା ଏବଂ ଛାତ୍ରୀଛାତ୍ର ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ସ୍କୁଲ ବନ୍ଦ ରହିଥିବାରୁ ପିଲାମାନେ ପୂରା ସମୟ ଘରେ ରହୁଛନ୍ତି। ଏଭଳିସ୍ଥିତିରେ ଶିଶୁ, କିଶୋର ଏବଂ ଛାତ୍ରୀଛାତ୍ରଙ୍କୁ ଏହି ଲକ୍‌ଡାଉନ୍‌ ସମୟରେ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ରାଜ୍ୟ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ସହ ୟୁନିସେଫ୍‌ର ମିଳତି ସହଯୋଗରେ ‘ମୋ ପ୍ରତିଭା’ ନାମକ ଏକ ଅନ୍‌ଲାଇନ୍‌ ପ୍ରତିଯୋଗିତାର ଆୟୋଜନ କରିବାକୁ ସ୍ଥିର ହୋଇଛି।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୫ ରୁ ୧୮ ବର୍ଷ ବୟସର ଶିଶୁ ତଥା କିଶୋରୀକିଶୋରଙ୍କ ପାଇଁ ‘ଲକ୍‌ ଡାଉନ୍‌ ସମୟରେ ଗୃହ ଭିତରେ ରହିବାର ଅନୁଭବ’ ଓ ‘ଜଣେ ଯୁବ ନାଗରିକ ହିସାବରେ କୋଭିଡ୍‌-୧୯ ସମୟରେ ମୋର କର୍ତ୍ତବ୍ୟ’ ପ୍ରସଙ୍ଗ ଉପରେ ଚିତ୍ରାଙ୍କନ, ପୋଷ୍ଟର ତିଆରି, ସ୍ଳୋଗାନ ରଚନା, କ୍ଷୁଦ୍ରଗଳ୍ପ ଓ କବିତା ରଚନା ପ୍ରତିଯୋଗିତା କରାଯିବ। କ୍ଷୁଦ୍ରଗଳ୍ପ ୫୦୦ଶବ୍ଦ ମଧ୍ୟରେ ଲେଖିବାକୁ କୁହାଯାଇଥିବାବେଳେ ପଠାଯାଇଥିବା ବିଷୟ ନିଜେ ଲେଖିଥିବା ଆବଶ୍ୟକ। ଏହି ପ୍ରତିଯୋଗିତାକୁ ୫ରୁ ୧୦ ବର୍ଷ, ୧୧ ରୁ ୧୬ ବର୍ଷ ଏବଂ ୧୬ ରୁ ୧୮ ବର୍ଷ ୩ଟି ବର୍ଗରେ ବିଭକ୍ତ କରାଯିବ। ବିଜେତାଙ୍କ ନାମ ପ୍ରତି ଗୁରୁବାର ଘୋଷଣା କରାଯିବ। ସମସ୍ତ ଲେଖା, ଚିତ୍ରାଙ୍କନ, ପୋଷ୍ଟର ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଅନ୍‌ଲାଇନ୍‌ରେ ପଠାଇବାକୁ ହେବ। ଅନ୍‌ଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତରେ ଭାଗ ନେବାକୁ ଚାହୁଁଥିବା ୫ ରୁ ୧୮ବର୍ଷର ପିଲାମାନେ ସେମାନଙ୍କ ସମ୍ପୂର୍ଣ୍ଣ ନାମ, ଠିକଣା, ବୟସ, ସ୍କୁଲର ବିବରଣୀ ହ୍ବାଟ୍ସଆପ୍‌ ନମ୍ବର ୭୬୫୭୦୩୯୮୯୧ ଏବଂ ଇମେଲ୍‌ info@sportsodisha.gov.in ରେ ନାମ ପଞ୍ଜିକରଣ କରିବାକୁ କୁହାଯାଇଛି। ଓଡ଼ିଶା ସରକାର ଏବଂ ୟୁନିସେଫ୍‌ ତରଫରୁ ବିଜେତାମାନଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ଶ୍ରେଷ୍ଠ ନିର୍ବାଚିତ ପ୍ରସଙ୍ଗଗୁଡ଼ିକ କୋଭିଡ୍‌-୧୯ ସୂଚନା ପ୍ରଚାର ଅଭିଯାନରେ ବ୍ୟବହୃତ ହେବ। ଏ ସମ୍ପର୍କରେ ଅଧିକ ତଥ୍ୟ ପାଇଁ www.sportsodisha.gov.in ଏବଂ www.wcdodisha.gov.in ୱେବ୍‌ସାଇଟ୍‌ରେ ଯୋଗାଯୋଗ କରିବାକୁ କୁହାଯାଇଛି।

Share