ଲକ୍‌ଡାଉନ୍‌ର ଦ୍ୱିିତୀୟ ଦିନ: ବିଭିନ୍ନ ଛକରେ ଲୋକଙ୍କ ଭିଡ଼, ଜଗିଛି ପୋଲିସ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନ୍‌ର ସୋମବାର ହେଉଛି ଦ୍ୱିିତୀୟ ଦିନ। ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସୋମବାର ଟ୍ବିନ୍‌ ସିଟି ସମେତ ବିଭିନ୍ନ ଜିଲାର ଛକମାନଙ୍କରେ ପୋଲିସ ଜଗି ରହିଛି। ତେବେ ଭୁବନେଶ୍ୱରସ୍ଥିତ ଡମଣା, ଜୟଦେବ ବିହାର, ନାଲ୍‌କୋ ଛକ, ନୟାପଲ୍ଲୀ ଆଇଡି ମାର୍କେଟ ଓ ଆଚାର୍ଯ୍ୟ ବିହାର ଭଳି ଛକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ବିଭିନ୍ନ ସ୍ଥାନରେ ଜଗି ରହିଥିବା ପୋଲିସ ଲୋକଙ୍କୁ ବୁଝାଉଛି।
ସେହିଭଳି କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା ଓ ନବରଙ୍ଗପୁରରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଲକ୍‌ଡାଉନକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌କରି କହିଛନ୍ତି। ଏହାସହ ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨୯ ତାରିଖ ରାତି ୯ଟା ଯାଏ ଏହି କଟକଣା ବଳବତର ରହିବ।

Share