ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସ୍‌ ସଂକ୍ରମଣ ଧିରେ ଧିରେ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ସହ ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏହାର ଅବଧି ଏପ୍ରିଲ ୧୪କୁ ଶେଷ ହେଉଛି। କିନ୍ତୁ ରାଜ୍ୟରେ କରୋନା ସଂକ୍ରମଣର ଭୟାବହତାକୁ ଦେଖି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଲକ୍‌ଡାଉନ୍‌ର ଅବଧିକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ ମୋଦି ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଦେଶରେ ଦିନକୁ ଦିନ କରୋନା ସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ବିଶେଷ କରି ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ତେଣୁ କରୋନା ବ୍ୟାପିବାରୁ ରୋକିବା ପାଇଁ ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଓଡିଶା ସମେତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଏହି ଲକ୍‌ଡାଉନ୍‌କୁ ବୃଦ୍ଧି କରିବା ପାଇଁ ମୋଦିଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ଏହାକୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ପୂର୍ବରୁ ପଞ୍ଜାବ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟରେ ଲକ୍‌ଡାଉନ୍‌ ବୃଦ୍ଧି ନେଇ ଘୋଷଣା କରିସାରିଛନ୍ତି।

Share