ଲକ୍‌ଡାଉନ୍‌ ଉଠିବା ପରେ ଗଞ୍ଜାମକୁ ଫେରିବେ ଲୋକେ: ସରପଞ୍ଚଙ୍କ ସହ ଆଲୋଚନା, ଆଇସୋଲେଶନ୍‌ ସେଣ୍ଟର ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର, ୨୪।୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ଉଠିବା ପରେ ବାହାର ରାଜ୍ୟରେ ଅଟକିଥିବା ଲୋକେ ଗଞ୍ଜାମ ଜ଼ିଲାକୁ ଫେରିବେ। ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ପଞ୍ଚାୟତ ଅଫିସକୁ ଯାଇ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜେଇ ଓ କର୍ମଚାରୀମାନଙ୍କ ସହ ଆଲୋଚନା ଶୁକ୍ରବାରଠାରୁ ଆରମ୍ଭ କରିଛନ୍ତି। ଏଥିସହ ପଞ୍ଚାୟତମାନଙ୍କରେ ଖୋଲାଯାଇଥିବା ଆଇସୋଲେଶନ ସେଣ୍ଟର ଜ଼ିଲାପାଳ ବୁଲି ଦେଖିଥିଲେ। ସେଠାରେ ପାଣି, ଆଲୋକ, ପାଇଖାନା, ବେଡ଼ ଆଦି ଆନୁସଙ୍ଗିକ ବ୍ୟବସ୍ଥା ଅଛି କି ନାହିଁ ତାର ଅନୁଧ୍ୟାନ କରିଥିଲେ। ବାହାର ରାଜ୍ୟରୁ ଆସିବାକୁ ଥିବା ଲୋକଙ୍କ ପଞ୍ଜିକରଣ କରିବାରେ ସହାୟତା ପ୍ରଦାନ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। କଣମଣା, ଆର୍ଯ୍ୟପଲି ଆଇସୋଲଶନ ସେଣ୍ଟର ପରିଦର୍ଶନ ବେଳେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ,ସରପଞ୍ଚ ଏସ୍‌ ଚକ୍ରପାଣିରେ ଏମ୍‌.ଗୁମାଲି, ବିଇଓ ଅଭିନାଶ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଜ଼ିଲାର ସମସ୍ତ ୫୦୩ ଆଇସୋଲେଶନ୍‌ ସେଣ୍ଟର ବୁଲି ନିଜେ ଅନୁଧ୍ୟାନ କରିବେ ବୋଲି ଜ଼ିଲାପାଳ ନିଷ୍ପତ୍ତି ନେଇଥିଲେ।

Share