Advertisement

ଲକ୍‌ଡାଉନ୍‌: କଳାବଜାର ରୋକିବାକୁ ଦେବଗଡ଼ ଜିଲା ପୋଲିସର ବୈଠକ

ଦେବଗଡ଼,୨୮।୩(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାର ରୋକିବା ପାଇଁ ଦେବଗଡ଼ ଆଦର୍ଶ ଥାନା ପରିସରରେ ଜିଲା ପୋଲିସ ପକ୍ଷରୁ ସ୍ଥାନୀୟ ଏକ ବୈଠକ ଅନୁଷ୍ଠିତ ହୋଇଛି। ଦେବଗଡ଼ ଏସ୍‌ପି ରାହୁଲ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲାର ବ୍ୟବସାୟୀ ସଂଘ, ପରିବା ବ୍ୟବସାୟୀ ସଂଘ, କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ ଓ ଘରୋଇ ବସ୍‌ ମାଲିକ ସଂଘ ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ଆଲୋଚନା ହୋଇଥିଲା। ଏହି ଅବସରରେ ଜିଲାରେ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବାରେ ଯେଭଳି ଅସୁବିଧା ଦେଖା ନ ଦିଏ ସେ ସମ୍ପର୍କରେ ଏସ୍‌ପି ଜୈନ ଗୁରୁତ୍ୱାରୋପ କରିବା ସହ ଏନେଇ କୌଣସି ଅସୁବିଧା ହେଲେ ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି। ଏଥିସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବ୍ୟବହୃତ ଯାନବାହନଗୁଡିକୁ ଜିଲା ପୋଲିସ ପକ୍ଷରୁ ସ୍ବତନ୍ତ୍ର ପାସ୍‌ ଯୋଗାଇ ଦେବାକୁ ଏସ୍‌ପି ଜୈନ ବ୍ୟବସାୟୀମାନଙ୍କୁ କହିଥିଲେ । ତେବେ କୌଣସି ଅସାଧୁ ଉପାୟ ଅବଲମ୍ବନ କିମ୍ବା କଳାବଜାରକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଥିଲେ । ଏହି ବୈଠକରେ ଜିଲା ପୋଲିସ ପକ୍ଷରୁ ଅତିରିକ୍ତ ଏସ୍‌ପି ରବିନାରାୟଣ ସି, ଏସ୍‌ଡିପିଓ ସୁଲେମାନ ଏକ୍କାଙ୍କ ସମେତ ବଣିକ ସଂଘ ସଭାପତି ଉମାଶଙ୍କର ସାହୁ, ସମ୍ପାଦକ ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ଜିଲା ଘରୋଇ ବସ ମାଲିକ ସଂଘର ସଭାପତି ଇଂ. ସୁଜିତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel