ଲକ୍‌ଡାଉନ୍‌ କୋହଳ ହେଲେ ବି କରୋନା ଭୂତାଣୁ ହୋଇନି ଶେଷ: ମାର୍ଗଦର୍ଶିକାକୁ ପାଳନ କରିବା ଅପରିହାର୍ଯ୍ୟ

ନୂଆଦିଲ୍ଲୀ,୨୬।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ଅବସ୍ଥା ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ଜାରି ରହିଥିବା ଲକ୍‌ଡାଉନ୍‌କୁ କିଛି ପରିମାଣରେ କୋହଳ ମଧ୍ୟ କରାଯାଇଛି। ତେବେ କରୋନା ଭୂତାଣୁ ଏବେ ମଧ୍ୟ ଦେଶରେ ରହିଛି। ପ୍ରତି ଦିନ ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଅର୍ଥ ବ୍ୟବସ୍ଥାରେ ସୁଧାର ପାଇଁ ଲକ୍‌ଡାଉନ୍‌କୁ କିଛି ମାତ୍ରାରେ କୋହଳ କରାଯାଇଛି। କିନ୍ତୁ ସରକାର ତଥା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ପାଳନ କରିବା ଅପରିହାର୍ଯ୍ୟ। ନିରନ୍ତର ନିଦ୍ଦିଷ୍ଟ ସମୟ ଅନ୍ତରରେ ହାତ ଧୋଇବା, ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା କରୋନା ସଂକ୍ରମଣରୁ ଦୂରେଇ ରହିହେବ। ଭାରତୀୟ ମେଡ଼ିକାଲ ରିସର୍ଚ୍ଚ ପରିଷଦର ବିଶେଷଜ୍ଞଙ୍କ ଅନୁସାରେ ଭାରତ ବର୍ତ୍ତମାନ ବି କରୋନା ସଂକ୍ରମଣର ଶୀର୍ଷରେ ପହଞ୍ଚି ନାହିଁ। ସମାନ ମନ୍ତବ୍ୟ ଏମ୍ସ୍‌ର ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ ମଧ୍ୟ ଦେଇଛନ୍ତି। ଭାରତ ଜୁନ୍‌-ଜୁଲାଇରେ କରୋନା ସଂକ୍ରମଣର ଶୀର୍ଷରେ ପହଞ୍ଚିବ। ଏହାପରେ ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିବ ବୋଲି ବିଶେଷଜ୍ଞ ମତପୋଷଣ କରୁଛନ୍ତି। ସେତେବେଳର ସ୍ଥିତି ସାମ୍ପ୍ରତିକ ଅବସ୍ଥାଠାରୁ ଅଧିକ ଖରାପ ହେବ ବୋଲି କୁହାଯାଉଛି।

Share