ଲକ୍‌ଡାଉନ୍‌: ଘରକୁ ଫେରୁଥିବା ବ୍ୟକ୍ତିଙ୍କ ଶେଷ କଥା, ଯଦି ନେବାକୁ ଆସିପାରିବ ତେବେ ଆସ…

ଆଗ୍ରା,୩୦।୩: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସାରା ଦେଶରେ ୨୧ ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ରେ ଜରୁରୀ ସେବା ଜାରି ରହିଥିବା ବେଳେ ଅନ୍ୟ କାର୍ଯ୍ୟପନ୍ଥା ସବୁ ବନ୍ଦ ରହିଛି। କାର୍ଯ୍ୟ ବନ୍ଦ ହୋଇଯିବାରୁ ଶ୍ରମିକମାନଙ୍କ ପାଖରେ ପଇସା ନ ଥିବା ବେଳେ ସେମାନେ ନିଜ ରାଜ୍ୟକୁ ବା ନିଜ ଘରକୁ ଫେରିଯିବାକୁ ଚାହୁଛନ୍ତି। ହେଲେ ଗାଡିମଟର ବନ୍ଦ ଥିବାରୁ ଲୋକମାନେ ଚାଲି ଚାଲି ଘରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ସମୟରେ କେତେକଙ୍କ ମୃତ୍ୟୁ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ଇତିମଧ୍ୟରେ ଶନିବାର ଜଣେ ୩୮ବର୍ଷୀୟ ବ୍ୟକ୍ତି ୨୦୦କିଲୋମିଟର ଚାଲିବା ପରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏବେ ତାଙ୍କର ଏକ ଅଡିଓ କଲ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ଉକ୍ତ ବ୍ୟକ୍ତି ନିଜ ଘର ଲୋକଙ୍କ ସହ କଥା ହେଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରଣବୀର ନାମକ ଜଣେ ବ୍ୟକ୍ତି ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ କାର୍ଯ୍ୟ କରୁଥିଲେ। ରେଷ୍ଟୁରାଣ୍ଟ ବନ୍ଦ ହେବା ପରେ ରଣବୀର ନିଜ ଗାଁକୁ ଚାଲିକି ଯାଉଥିଲେ। କିନ୍ତୁ ଘରକୁ ପହଞ୍ଚିବା ପୂର୍ବରୁ ଆଗ୍ରା ସହରର ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ପୋଲିସ ତାଙ୍କ ଘରଲୋକଙ୍କୁ ଖବର ଦେଇଥିଲା। ତେବେ ମୃତ୍ୟୁପୂର୍ବରୁ ରଣବୀରଙ୍କ ୪୨ ସେକେଣ୍ଡର ଏକ ଅଡିଓ କଲ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ସେ ନିଜ ଘର ଲୋକଙ୍କୁ କହିଛନ୍ତି, ଯଦି ନେବା ପାଇଁ ଆସିପାରୁଛ ତେବେ ଆସିଯାଅ। ଅପରକ୍ଷେ ଭୋକ ଉପାସରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି। ସେପଟେ ସିକନ୍ଦରା ଥାନା ପୋଲିସଙ୍କ କହିବା କଥା, ରଣବୀରଙ୍କ ମୃତ୍ୟୁ ହୃଦ୍‌ଘାତରୁ ହୋଇଛି। ତେବେ ତାଙ୍କର କିଭଳି ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହୋଇପାରିବ।

Share