ଲକ୍‌ଡାଉନ୍‌: ଜୀବିକା ହରାଇଛନ୍ତି ଶତାଧିକ ମହୁଲଫୁଲ ସଂଗ୍ରହକାରୀ

କୋରୁକୋଣ୍ଡା,୯ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ଫଳରେ ସରକାରଙ୍କ ପକ୍ଷରୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ରାଜ୍ୟବାସୀଙ୍କ ଜୀବନଜୀବିକା ଉପରେ ପଡ଼ିଛି। ବିଶେଷକରି ଲକ୍‌ଡାଉନ୍‌ ହେତୁ ମାଲକାନିଗରି ଜିଲାର ମହୁଲ ଫୁଲ ସଂଗ୍ରହକାରୀ ଜୀବିକା ହରାଇଛନ୍ତି। ଦିନ ସାରା ପରିଶ୍ରମ କରି ଏହି ଗୋଟାଳିମାନେ ମହୁଲ ସଂଗ୍ରହ କରିଥା’ନ୍ତି। ଯାହାର ପାରିଶ୍ରମିକ ଭାବେ ପୂର୍ବରୁ କିଲୋ ପ୍ରତି ୨୫ରୁ ୩୦ ଟଙ୍କା ମିଳୁଥିବା ବେଳେ ତାହା ଏବେ ବନ୍ଦ ହୋଇଯାଇଛି । ପୂର୍ବରୁ ମହୁଲକୁ ନେଇ ଦଲାଲ ମାଲାମାଲ ହେଉଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ପଞ୍ଚାୟତସ୍ତରରେ ଲଘୁବନଜାତ ଦ୍ରବ୍ୟ କିଣିବା ଲୋକଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥାଏ । ଏଥିପାଇଁ ୧୦୦ ଟଙ୍କାର ରସିଦ କଟାଯାଏ । ବର୍ତ୍ତମାନ ଲକ୍‌ଡାଉନ୍‌ ଯୋଗୁ ମହୁଲ ବଜାରରେ ବିକ୍ରି କରି ହେଉନାହିଁ। ଫଳରେ ବସ୍ତା ବସ୍ତା ମହୁଲ ଘରେ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ସଂଗ୍ରହକାରୀ। ଜୀବିକା ହରାଉଥିବାରୁ କ୍ଷତିପୂରଣ ଦେବାକୁ ମହୁଲଫୁଲ ସଂଗ୍ରହକାରୀ ଦାବି କରିଛନ୍ତି।