ଲକ୍‌ଡାଉନ୍‌ ନିୟମରେ ସାମାନ୍ୟ ପରିବର୍ତ୍ତନ: କୃଷିକାର୍ଯ୍ୟ ପାଇଁ କୋହଳ, ଭୁବନେଶ୍ୱର ପାଇଁ ପରବର୍ତ୍ତି ସମୟରେ ଆସିବ ସ୍ବତନ୍ତ୍ର ନିୟମ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଆସନ୍ତା ୧୫ରୁ ଏପ୍ରିଲ ୩୦ ତାରିଖ ଯାଏ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିବ। ଏହି ସମୟରେ ପୂର୍ବ ଭଳି ଯାନବାହାନ, ଦୋକାନବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଉପରେ କଟକଣା ବଳବତ୍ତର ରହିବ। ତେବେ ଏହି ସମୟରେ ଚାଷ କାର୍ଯ୍ୟ ପାଇଁ ଲକ୍‌ଡାଉନ୍‌ ନିୟମରେ ସାମନ୍ୟ ପରିବର୍ତ୍ତନ କରାଯାଇଛି। କୃଷି କାର୍ଯ୍ୟ ସହିତ ସ୍ବଚ୍ଛ ଭାରତ ମିଶନରେ ପାଇଖାନା ଓ ବିଜୁ ପକ୍କା ଘର ଯୋଜନାରେ ପକ୍କା ଘର ନିର୍ମାଣ ଜାରି ରହିବ। ଏଥିସହିତ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୀ କାର୍ଯ୍ୟ ମଧ୍ୟ ହୋଇପାରିବ। ଖାଦ୍ୟ ସାମଗ୍ରୀ ହୋମ୍‌ ଡେଲିଭରି ହେବ। ଢାବା ଖୋଲା ରହିଲେ ମଧ୍ୟ ସେଠାରେ ବସି ଖାଇବା ପାଇଁ ଅନୁମତି ଦିଆଯିବ ନାହିଁ। ବନୀକରଣ ପାଇଁ ନର୍ସରୀ, ବନ୍ୟ ଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା, କେନ୍ଦୁପତ୍ର ତୋଳା, କେନ୍ଦୁପତ୍ର ଫଡ଼ି ଆଦି କାର୍ଯ୍ୟ ଚାଲୁ ରହିବ। କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ କଡ଼ାକଡ଼ି ପାଳନ ହେବ। ସୋମବାର ପୂର୍ବାହ୍ନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।
ଧାନ ବୁଣା, ଚାଷ, ତଳିରୁଆ, କଟା ଆଦି କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ଦିଆଯାଇଛି। ଖରିଫ ଋଣ ପାଇଁ ସବୁ ବ୍ୟାଙ୍କ ଓ ଅଫିସ ଖୋଲା ରହିବ। ଗୋଶାଳା, ବୁଲା କୁକୁରଙ୍କୁ ଖାଇବା, କୃଷି ସରଞ୍ଜାମ ବିକ୍ରୟ ଦୋକାନ, ସାର, ଔଷଧ ଆଦି ଦୋକାନ ଖୋଲା ରହିବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ଶ୍ରମିକମାନେ ନିୟୋଜିତ ହେବେ। ତେବେ ଭୁବନେଶ୍ୱର ସହରକୁ ଲକ୍‌ଡାଉନ୍‌ରୁ କୋହଳ କରାଯାଇ ନାହିଁ। ଏଠାରେ ଚାଷ କାର୍ଯ୍ୟ ହେଉ ନ ଥିବାରୁ ପୂର୍ବ କଟକଣାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ତେବେ ଭୁବନେଶ୍ୱରରେ ଲକ୍‌ଡାଉନ୍‌ କୋହଳ ପାଇଁ ପରବର୍ତ୍ତି ସମୟରେ ସ୍ବତନ୍ତ୍ର ନିୟମ ଆସିବ। ରବି ଧାନ ସଂଗ୍ରହ ପାଇଁ ୧୭ରୁ ୧୮ଟି ଜିଲାରେ ଧାନ ମଣ୍ଡି ଖୋଲା ରହିବ। ଚାଷୀମାନେ ଧାନ ବିକ୍ରୟ କରିପାରିବେ। ମଣ୍ଡିକୁ ଧାନ ନେବା ପାଇଁ ଟ୍ରାକ୍ଟର ମଧ୍ୟ ଚାଲିବ। ଗ୍ରାମାଞ୍ଚଳରେ ପାନୀୟ ଜଳ ଓ ନଳକୂପ ମରାମତି କାର୍ଯ୍ୟ ଚାଲୁ ହେବ ବୋଲି ଏସ୍‌ଆର୍‌ସି କହିଛନ୍ତି।

Share