ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ଟୁଇନ୍‌ ସିଟିରୁ ପ୍ରାୟ ୨ ହଜାର ଗାଡ଼ି ଜବତ

ଭୁବନେଶ୍ୱର, ୬।୪(ବ୍ୟୁରୋ): କରୋନା (କୋଭିଡ୍‌-୧୯)ର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଆହୁରି କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର ୪୮ ଘଣ୍ଟିଆ ସଡ୍‌ଡାଉନ୍‌ କରିଥିଲେ। ସଟ୍‌ଡାଉନ୍‌ ଉଠିଯାଇଥିଲେ ମଧ୍ୟ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ଏହାକୁ ଖାତିର ନ କରି ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଅମାନିଆଙ୍କ ଭିଡ଼ ଦେଖିବାକୁ ମିଳୁଛି। ସେମାନେ ବିଭିନ୍ନ ବାହାନା ଦେଖାଇ ବାଇକ୍‌ଧରି ବୁଲୁଛନ୍ତି। କମିଶନରେଟ ପୋଲିସ ପକ୍ଷରୁ କେତେକ କଟକଣା ଜାରି କରାଯିବା ସହ ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ସେମାନେ ସରକାରୀ ନିର୍ଦ୍ଦେଶ ପାଳନ କରୁ ନାହାନ୍ତି। ଏ ନେଇ ପୋଲିସ ପକ୍ଷରୁ ଟୁଇନ୍‌ ସିଟିରେ ପାଟ୍ରୋଲିଂ କରାଯାଇଛି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସୋମବାର ଅପରାହ୍ନ ସୁଦ୍ଧା କଟକ ଓ ଭୁବନେଶ୍ୱରରୁ ପ୍ରାୟ ୨ ହଜାର ଗାଡି ଜବତ ହୋଇଛି। କଟକରୁ ପ୍ରାୟ ୧୦୧୯ ଓ ଭୁବନେଶ୍ୱରରୁ ୮୭୪ ଗାଡି ଜବତ ହୋଇଛି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share