ଲକ୍‌ଡାଉନ୍‌ ନିୟମ ନ ମାନି ଅମାନିଆ ଗଣିଲେ ୮୦୦୦ ଜରିମାନା

ବୁଗୁଡ଼ା,୨୯ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ସହରରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ନିୟମ ମାନି ଚଳିବାକୁ ବାରମ୍ବାର ସଚେତନ କରାଯାଇଥିଲେ ମଧ୍ୟ ଲୋକମାନେ ଏହାକୁ ମାନୁନାହାନ୍ତି। ତେଣୁ ଶୁକ୍ରବାର ସ୍ଥାନୀୟ ମଦନମୋହନ ଛକ ନିକଟରେ ତହସିଲ, ଏନ୍‌ଏସି ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ନିୟମ ମାନୁ ନ ଥିବା ୪୦ ଅମାନିଆଙ୍କଠାରୁ ୮୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଉକ୍ତ ଚଢ଼ାଉରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ଏନ୍‌ଏସି ନିର୍ବାହୀ ରଶ୍ମୀରଞ୍ଜନ ଦାସ, ନୋଡାଲ ଅଧିକାରୀ କାଳୁ ଚରଣ ରଥ ଏବଂ ପୋଲିସ ପ୍ରଶାସନ ସାମିଲ ହୋଇଥିଲେ। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା, ଯାନବାହନ ଚଳାଚଳ ନିୟମ ମାନିବା, ସାଧାରଣ ସ୍ଥାନରେ ଛେପ ନ ପକାଇବା ଆଦି ନିୟମ ମାନି ଚଳିବାକୁ ପରାମର୍ଶ ଦିଆଯାଇଛି।