ଲକ୍‌ଡାଉନ୍‌ ପରେ କଳାବଜାର ଉପରେ କଡ଼ା ନଜର

ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍‌.ଏ.): ଗୋଟିଏ ପଟେ କରୋନା ସଂକ୍ରମଣ ପ୍ରତିହତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ବଳବତ୍ତର ରହିଥିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ଫାଇଦା ଉଠାଉଛନ୍ତି କେତେକ ଅସାଧୁ ବ୍ୟବସାୟୀ। ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ନେଇ ବ୍ୟବସାୟୀମାନେ ଗୁଜବ ସୃଷ୍ଟି କରୁଛନ୍ତି। ଭୟରେ ଲୋକେ ବଜାରରୁ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ସଂଗ୍ରହ କରିଛନ୍ତି। ସିମନବାଡ଼ି ଅଞ୍ଚଳରେ ଥିବା ଗ୍ରାମୀଣ ବିତରକଙ୍କ ଠାରେ ରନ୍ଧନ ଗ୍ୟାସ ମିଳୁ ନ ଥିବା ବେଳେ ଏହାର କଳାବଜାର ହେଉଥିବା ଅଭିଯୋଗ ହୋଇଥିଲା। ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଡିଲରଙ୍କ ନିକଟରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ସିମନବାଡ଼ି ବିତରକଙ୍କ ନକିଟରେ ଅଭାବ ପଡ଼ିଥିବାରୁ ସେ ଦାରିଙ୍ଗବାଡ଼ି ବିତରକଙ୍କଠାରୁ ଆଣି ଲୋକଙ୍କୁ ଯୋଗାଇ ଦେଇଥିବା ଜଣାପଡ଼ିଥିଲା। କଳାବଜାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି। ସେହିପରି ଜିଲା ବାହାରୁ ପନିପରିବା ଆଣି ଦାରିଙ୍ଗବାଡ଼ି ଅଞ୍ଚଳରେ କିଛି ବ୍ୟବସାୟୀ ବିକ୍ରି କରୁଥିବା ବେଳେ ଚଢ଼ା ଦରରେ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଡାଲି,ଚାଉଳ,ଆଳୁ, ପିଆଜ, ତେଲ ଭଳି ଜରୁରୀ ସାମଗ୍ରୀର କିଭଳି କଳାବଜାର ହେବ ନାହିଁ ସେନେଇ ବ୍ୟବସାୟୀମାନଙ୍କୁ ଏସ୍‌ଡିପିଓ ଦାଗିଦ୍‌ କରିଛନ୍ତି। ରାଜ୍ୟରେ ରାଶନ ସାମଗ୍ରୀର ଅଭାବ ନାହିଁ। ଏଣୁ କଳାବଜାରକୁ ରୋକାଯିବ ବୋଲି କୁହାଯାଇଛି।

Share