ଲକ୍‌ଡାଉନ୍‌ ପାଇଁ ପଛେଇଯାଇଛି ଅନ୍ଧତ୍ୱ ଦୂରୀକରଣ ଯୋଜନା: ମୋତିଆବିନ୍ଦୁ ରୋଗୀଙ୍କ ସଙ୍କଟ ବଢ଼ିଲା

କଟକ ଅଫିସ, ୧୮ା୫: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଲାଗି ଜାରି ହୋଇଥିବା ଲକ୍‌ଡାଉନ ଯୋଗୁ ଏବେ ସରକାରଙ୍କ ଅନ୍ଧତ୍ୱ ଦୂରୀକରଣ ଯୋଜନା ଅନେକ ଯୋଜନ ପଛକୁ ଚାଲିଯାଇଛି। ପ୍ରତି ମାସରେ ଯେଉଁ ସଂଖ୍ୟାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେଉଥିଲା, ଲକ୍‌ଡାଉନ ଯୋଗୁ ସେହି ସଂଖ୍ୟା ଏବେ ଦ୍ରୁତଗତିରେ ଖସୁଥିବା ଦେଖିବାକୁ ମିଳୁଛି। ସବୁଠି ଅନ୍ଧତ୍ୱ ବଢ଼ିବାରେ ଲାଗିଛି।
ତଥ୍ୟ ଅନୁଯାୟୀ, ୫୦ ପ୍ରତିଶତ ଲୋକଙ୍କଠାରେ ମୋତିଆବିନ୍ଦୁର ଅଳ୍ପ ବହୁତ ଲକ୍ଷଣ ଥାଏ। ସେମାନଙ୍କ ମଧ୍ୟରୁ କେତେକ ଚଷମା କିମ୍ବା ଅନ୍ୟ ଚିକିତ୍ସା ପଦ୍ଧତି ଆପଣାଉଥିବା ବେଳେ ଅବଶିଷ୍ଟ ରୋଗୀଙ୍କ ପାଇଁ ମୋତିଆ ବିନ୍ଦୁ ହିଁ ଏକ ମାତ୍ର ବିକଳ୍ପ। ଏହି ଶ୍ରେଣୀଭୁକ୍ତ ରୋଗୀଙ୍କ ପରଳକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅସ୍ତ୍ରୋପଚାର ଦ୍ୱାରା ବାହାର କରା ନ ଗଲେ ତାହା ପରେ ଫାଟିଯିବା କାରଣରୁ ଅନ୍ଧତ୍ୱର ଶିକାର ହେବାକୁ ପଡ଼ିଥାଏ। ଏବେ ଏଭଳି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୈନିକ ଏ ବାବଦରେ ଏସ୍‌ସିବିର ଚକ୍ଷୁ ବିଭାଗ ଓ ଅନ୍ୟ ଚକ୍ଷୁ ଚିକିତ୍ସାଳୟକୁ ଶତାଧିକ ଲୋକ ଆସି ନିରାଶ ହୋଇ ଫେରୁଛନ୍ତି। ବର୍ତ୍ତମାନ କେବଳ ଦୁର୍ଘଟଣା ଓ ସଙ୍କଟାପନ୍ନ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଉଥିବାରୁ ମୋତିଆବିନ୍ଦୁ ରୋଗୀଙ୍କ କଥା ଗୌଣ ହୋଇଯାଇଛି।
ଏସ୍‌ସିବି ଚକ୍ଷୁ ବିଭାଗ ମୁଖ୍ୟ ଡା. ପ୍ରଶାନ୍ତ କୁମାର ନନ୍ଦଙ୍କ କହିବା ଅନୁଯାୟୀ, ଏସ୍‌ସିବିରେ ମାସକୁ ୧୦୦୦ରୁ ଅଧିକ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଉଥିଲା। କିନ୍ତୁ କରୋନା ଆରମ୍ଭ ହେବା ପରଠାରୁ ଏହି ସଂଖ୍ୟା ଏବେ ବହୁ ତଳକୁ ଖସି ଆସିଛି। ଏହା ସମାଜରେ ଅନ୍ଧତ୍ୱ ବଢ଼ିବାର ଆଶଙ୍କାକୁ ବହୁଗୁଣିତ କରିବ। ସଦ୍ୟତମ ଗବେଷଣା ଦର୍ଶାଉଛି ଯେ ଆଖି ମାଧ୍ୟମରେ କରୋନା ସଂକ୍ରମଣ ଆଶଙ୍କା ୨ରୁ୪ ପ୍ରତିଶତ ରହିଥାଏ। ଏହି କାରଣ ଯୋଗୁ ଚକ୍ଷୁ ବିଭାଗରେ ଉପରୋକ୍ତ ଚିକିତ୍ସା ମଧ୍ୟ ଏକ ପ୍ରକାର ପ୍ରଭାବିତ ହୋଇଛି। ସେହିପରି ମୋତିଆବିନ୍ଦୁ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଜେପିଏମ୍‌ ରୋଟାରୀ ଆଇ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଆଲୋକ କୁମାର ସାହୁ କହିଛନ୍ତି, ଲକ୍‌ଡାଉନ ଅବଧି ବାରମ୍ବାର ବଢ଼ିବାରେ ଲାଗିଛି। ଏଣେ ଦୈନିକ ଅନେକ ରୋଗୀ ବାରମ୍ବାର ଆମ ପାଖକୁ ଆସି ଅସ୍ତ୍ରୋପଚାର ପାଇଁ ଅନୁରୋଧ କରୁଛନ୍ତି। ଏହି ସ୍ଥିତି ସତର୍କ କରାଇଦେଉଛି ଯେ, ମୋତିଆବିନ୍ଦୁ ଅସ୍ତ୍ରୋପଚାରରେ ଆହୁରି ବିଳମ୍ବ କରାଯିବା ଦ୍ୱାରା ଭୟଙ୍କର ପରିସ୍ଥିତି ଉପୁଜିବ।

Share