ଲକ୍‌ଡାଉନ୍‌: ପୂର୍ବାହ୍ନ ୧୧ଟା ପରେ କେବଳ ଔଷଧ ଦୋକାନ ଖୋଲିବ

ଏରସମା, ୫ ।୪ (ସ୍ୱ.ପ୍ର.)- ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ଘର ଆଖପାଖ ଅଞ୍ଚଳକୁ ସଟ୍‌ଡାଉନ୍ କରି ଦିଆଯିବା ସହ କେବଳ କେତେକ ଔଷଧ ଦୋକାନ ଖୋଲିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏ ପର୍ଯ୍ୟନ୍ତ ଜଗତ୍‌ସିଂପୁର ଜିଲାରୁ କେହି କୋଭିଡ-୧୯ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ ହେଁ ଜିଲା ସମେତ ସମସ୍ତ ବ୍ଲକ ପ୍ରଶାସନ ପକ୍ଷରୁ ନାନା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏରସମା ବ୍ଲକ ଅଞ୍ଚଳରେ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏହାପରେ କେବଳ ଔଷଧ ଦୋକାନଗୁଡ଼ିକ ଖୋଲିବ ବୋଲି ଜଣାପଡ଼ିଛି । ଅଧିକ ସମୟ ପର୍ଯ୍ୟନ୍ତ ଦୋକାନ ଖୋଲିବା ଯୋଗୁ ଦୋକାନ ନିକଟରେ ପ୍ରବଳ ଭିଡ଼ ଜମୁଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ନେଇ ସ୍ଥାନୀୟ ତହସିଲଦାର ଚିତ୍ତରଞ୍ଜନ ମହାନ୍ତଙ୍କ ନିର୍ଦ୍ଦେଶକ୍ରମେ ଡାକବାଜୀ ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି । ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ ଜାରି ହୋଇଛି। ଏରସମା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମାଝିଙ୍କ ସମେତ ବିଡିଓ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ପହଞ୍ଚି ତଦାରଖ କରୁଥିବା ଦେଖାଯାଇଛି ।

Share