ଲକ୍‌ଡାଉନ୍‌ ପ୍ରଭାବ: ତାମିଲନାଡୁର ୮ ହଜାରରୁ ଅଧିକ ମନ୍ଦିରରେ ଗୋଟିଏ ବେଳା ପୂଜା

ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ସରକାରଙ୍କ ଲକ୍‌ଡାଉନ୍‌ ମାର୍ଗଦର୍ଶିକା ଅନୁସାରେ ସମସ୍ତ ଧାର୍ମିକସ୍ଥଳକୁ ବନ୍ଦ ରଖାଯାଇଛି। ମନ୍ଦିରରେ କେବଳ କିଛି ପୂଜକ ଠାକୁରଙ୍କ ପୂଜା କରୁଛନ୍ତି। ଶ୍ରଦ୍ଧାଳୁଙ୍କ ପ୍ରବେଶ ବାରଣ କରାଯାଇଛି। ଏହାଯୋଗୁ ମନ୍ଦିରଗୁଡ଼ିକର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଆର୍ଥିକ ସ୍ଥିତି ଖରାପ ଯୋଗୁ ବହୁ ମନ୍ଦିରରେ ଗୋଟିଏ ବେଳା ପୂଜା କରାଯାଉଛି। ତାମିଲନାଡୁରେ ୮୦୦୦ରୁ ଅଧିକ ମନ୍ଦିରରେ ଗୋଟିଏ ବେଳା ପୂଜା କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ବାସ କରୁଥିବା ୬୫ ହଜାର ପୂଜକଙ୍କ ପାଇଁ ହଜାରେ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି। ମନ୍ଦିର ଗୁଡ଼ିକର ଆୟ ନ ଥିବାରୁ ବିଦ୍ୟୁତ୍‌ ବିଲ୍‌ ଛାଡ୍‌ ପାଇଁ ତାମିଲନାଡୁର କିଛି ମନ୍ଦିର କର୍ତ୍ତୃପକ୍ଷ ଦାବି କରିଛନ୍ତି। ସେହିପରି ଉତ୍ତରାଖଣ୍ଡରେ ୧୦୦ରୁ ଅଧିକ ମନ୍ଦିର ଖୋଲା ଯାଇଛି। ମାତ୍ର ଶ୍ରଦ୍ଧାଳୁଙ୍କ ସଂଖ୍ୟା ଯଥେଷ୍ଟ କମ୍‌ ରହିଥିବାରୁ ପୂଜକ ତଥା ମନ୍ଦିରର ଆୟ ହୋଇପାରୁନି। ଗୟାରେ ବହୁ ଶ୍ରଦ୍ଧାଳୁ ପିଣ୍ଡଦାନ କରିବାକୁ ଯାଇଥାନ୍ତି। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ଏବେ ଏଠାକାର ଗଙ୍ଗାକୂଳ ଜନଶୂନ୍ୟ ହୋଇପଡ଼ିଛି। ଏଭଳି ଅବସ୍ଥା ଉଜ୍ଜୟନୀ, ନାସିକ୍‌, ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଦେଖିବାକୁ ମିଳୁଛି। ତିରୁପତି ମନ୍ଦିରରେ ଲକ୍‌ଡାଉନ୍‌ ଯୋଗୁ ବର୍ତ୍ତମାନ ସୁଦ୍ଧା ଦାନରେ ମିଳୁଥିବା ୪୦୦ କୋଟି ଟଙ୍କାର କ୍ଷତି ହୋଇଛି। ଏହି ମନ୍ଦିରରେ ୨୧ ହଜାରରୁ ଅଧିକ କର୍ମଚାରୀ କାମ କରିଥାନ୍ତି। ମନ୍ଦିରର ଆର୍ଥିକ ସ୍ଥିତି ଖରାପ ହେବାରୁ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିଥିବା କୁହାଯାଉଛି।

Share