ଲକ୍‌ଡାଉନ୍‌ରେ ଦୋକାନ, ଗାଁଠାରୁ ଜରିମାନା ଆଦାୟ

ପଦ୍ମପୁର, ୧୪।୪(ଡି.ଏନ.ଏ.): ଦେଶରେ କରୋନା ମହାମାରୀ ପାଇଁ ଓ ଲକ୍‌ଡାଉନ୍‌ ଜାରି ରହିଛି। ଏଭଳି ସ୍ଥିତିରେ କିଛି ଅସାଧୁ ବ୍ୟବସାୟୀ ଗ୍ରାହକଙ୍କଠାରୁ ଅଧିକ ଦାମ୍‌ରେ ଜିନିଷ ବିକ୍ରି କରୁଥିବାର ଦେଖିବାକୁ ମିଳିଛି। ବାସୁଦେବପୁର ବଜାରରେ ଡାଲି ଓ ତେଲକୁ ନିର୍ଦ୍ଧାରିତ ଦାମ୍‌ଠାରୁ ଅଧିକ ଦାମ୍‌ରେ ବିକ୍ରି କରାଯାଉଥିବା ଖବର ପାଇ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୋଲିସ ଉକ୍ତ ଦୋକାନଗୁଡ଼ିକରେ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ୩ଜଣ ଦୋକାନୀଙ୍କଠାରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ସେହିପରି ସୁଦର୍ଶନପୁର ମାଛହାଟଠାରେ ୨ଟି ଲୁଗା ଦୋକାନ ଖୋଲାଥିବାରୁ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଉକ୍ତ ଦୋକାନରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିଭଳି ଅତିରିକ୍ତ ତହସିଲଦାର ବିଶ୍ୱନାଥ ବିଶ୍ୱାଳ ପଦ୍ମପୁର-ବିରସ ରାସ୍ତାରେ ଯାଉଥିବା କୋଇଲା ଗାଡ଼ିଠାରୁ ୫ ହଜାର ଟଙ୍କା ଆଦାୟ କରିଥିବା ବେଳେ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୪ଟି ବାଇକଠାରୁ ୨୮ ହଜାର ଓ ବାହାରେ ବୁଲୁଥିବା ଲୋକଙ୍କଠାରୁ ପୋଲିସ ୬ ହଜାର ଟଙ୍କା ଜରିମାନା ଆଦାୟ କରିଛି। ଏଥିସହ ତହସିଲଦାର ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନତା କରିବା ସହ ୧୦୦ଟି ମାସ୍କ ବଣ୍ଟନ କରିଥିଲେ।

Share