ଲକ୍‌ଡାଉନ୍‌ ମାନୁନାହାନ୍ତି ୧୦ ପ୍ରତିଶତ ଲୋକ: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ;ଗିରଫ ହେଲେଣି ୧୪୦୦ରୁ ଅଧିକ ଉଲ୍ଲଂଘନକାରୀ

ଭୁବନେଶ୍ୱର,୩୦।୩(ବ୍ୟୁରୋ)- ମହାମାରୀ କରୋନା ସଂକ୍ରମଣ ରୋକିବାକୁ ସାରା ଭାରତ ଏବେ ଲକ୍‌ଡାଉନ୍‌। ଓଡ଼ିଶାରେ ମଧ୍ୟ ଲକ୍‌ଡାଉନକୁ ସଫଳ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ତେବେ ସରକାରଙ୍କ ଲକ୍‌ଡାଉନ୍‌ ନିର୍ଦ୍ଦେଶକୁ ବର୍ତ୍ତମାନ ସମୟରେ ରାଜ୍ୟର ୯୦ ପ୍ରତିଶତ ବ୍ୟକ୍ତି ପାଳନ କରୁଛନ୍ତି। ହେଲେ ଦୁର୍ଭାଗ୍ୟବଶତଃ ୧୦ ପ୍ରତିଶତ ଲୋକ ଘଟଣାର ଗୁରୁତ୍ୱ ବୁଝୁନାହାନ୍ତି ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ଏହି ୧୦ ପ୍ରତିଶତଙ୍କ ଦାୟିତ୍ୱହୀନତା ୯୦ ପ୍ରତିଶତ ଲୋକଙ୍କ ପାଇଁ ବିପଦ ଆଣିପାରେ। ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବାଗ୍‌ଚୀ ସୂଚନା ଦେଇଛନ୍ତି।
ଏ ନେଇ ଡିଜିପି ଅଭୟ କହିଛନ୍ତି ଯେ, ଏହି ଲକ୍‌ଡାଉନ୍‌ ପ୍ରଥମଥର ପାଇଁ ହୋଇଛି। ଏଥିପାଇଁ ୭୦୦ରୁ ଊର୍ଦ୍ଧ୍ୱ ଥାନାକୁ ସବ୍‌୍ଇନ୍ସପେକ୍ଟର ଯୋଗାଇ ଦିଆଯାଇଛି। ଏମାନଙ୍କୁ ବିଭିନ୍ନ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ଓ ଅନ୍ୟାନ୍ୟ ସଂସ୍ଥାରୁ କାଢ଼ି ଦିଆଯାଇଛି। ୧୬୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ୧ ହଜାରରୁ ଊର୍ଦ୍ଧ୍ୱ ଗାଡ଼ି ଦିଆଯାଇଛି। ଏଥିସହିତ ସେମାନଙ୍କୁ ନିର୍ଦ୍ଦେଶ ରହିଛି ଯେ, ଉଲ୍ଲଂଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ, କିନ୍ତୁ କାହାକୁ ଦୁର୍ବ୍ୟବହାର କରିବ ନାହିଁ। ତେଣୁ ଲକ୍‌ଡାଉନ୍‌କୁ ମାନୁ ନ ଥିବା ଲୋକଙ୍କ ନାମରେ ମାମଲା ହେଉଛି। ଇତିମଧ୍ୟରେ ୧୫୦୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଥିବାବେଳେ ୧୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ହୋମ୍‌ କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ ପାଇଁ ୩ ମାମଲା ରୁଜୁ ହୋଇଛି। ତେବେ ଏଭଳି ଜଟିଳ ସମୟରେ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବାକୁ ଡିଜିପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Share