ଲକ୍‌ଡାଉନ୍‌ ମାନୁନାହାନ୍ତି ଲୋକେ, ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୩ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଘରେ ସଙ୍ଗରୋଧ ହୋଇ ରହିବାକୁ ପରାମର୍ଶ ଦିଆଯିବା ସହ ବିଭିନ୍ନ ଦୋକାନ, ବ୍ୟାଙ୍କ ପ୍ରତିଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱକୁ ପାଳନ କରାଯିବାକୁ ବ୍ୟାପକ ସଚେତନ କରାଯାଉଛି। ହେଲେ ଏହାକୁ ଅଧିକାଂଶ ଲୋକ  ମାନୁନାହାନ୍ତି। କେରଳ, ତାମିଲନାଡ଼ୁ, କର୍ନାଟକ, ଦିଲ୍ଲୀ ଆଦି ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକ ଦାରିଙ୍ଗବାଡ଼ି ଫେରି ନିଜ ଘରେ ରହିବା ବଦଳରେ ଗାଁ ଦାଣ୍ଡରେ ବୁଲୁଛନ୍ତି। ଫଳରେ ସିମନବାଡ଼ି, ବୁଡାଗୁଡ଼ା, ଦାରିଙ୍ଗବାଡ଼ି, ଭ୍ରମରବାଡ଼ି, କାଟିଙ୍ଗିଆ, କୁମ୍ଭାରିଗାଁ, ଝିଞ୍ଜିରିଗୁଡ଼ା ଆଦି ଅଞ୍ଚଳର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସିମନବାଡ଼ିରେ କିଛି ମିନି ବ୍ୟାଙ୍କ ଖୋଲା ରହୁଥିବାରୁ ବାହାର ରାଜ୍ୟରୁ ଫେରିଥିବା ଯୁବକମାନେ ଟଙ୍କା ଉଠାଣ ବାହାନା କରି ଭିଡ଼ କରୁଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନ ଥିବା ଜଣାପଡ଼ିଛି। ସେହିପରି ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ସମ୍ମୁଖରେ ଟେଣ୍ଟ ପକାଯାଇ ସାମାଜିକ ଦୂରତ୍ୱରେ ରହି ଟଙ୍କା ଉଠାଣ କରିବାକୁ କୁହାଯାଉଥିଲେ ସୁଦ୍ଧା କିଛି ଲୋକ ଏହାକୁ ମାନୁ ନ ଥିବା ଅଭିଯୋଗ ହୋଇଛି। ଲୋକେ ଲମ୍ବାଧାଡ଼ିରେ ଠିଆ ହୋଇ ଟଙ୍କା ଉଠାଣ ପାଇଁ ରହିଥିବା ଦେଖିବାକୁ ମିଳିଛି। ଏନେଇ ଆଇଆଇସି କୌଶିକ ମାଝି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Share