ଲକ୍‌ଡାଉନ୍‌ ଯୋଗୁ କମିଛି ଅପରାଧ,ଏପ୍ରିଲ୍‌ରେ ଇ-ଫାଇଲିଂ ଦ୍ୱାରା ଦାଏର ହୋଇଛି ୩୦୫ ମାମଲା: ସିଜେଆଇ ବୋବ୍‌ଡେ

ନୂଆଦିଲ୍ଲୀ,୨୮।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ସ୍ଥିତିରେକ ସୁଧାର ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଏହା ଦ୍ୱାରା ଆପରାଧୀକ ମାମଲା ଘଟିବା ମଧ୍ୟ କମ୍‌ ହୋଇଛି ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ କହିଛନ୍ତି। ଜାନୁୟାରୀରେ ପ୍ରତିଦିନ ସୁପ୍ରିମ୍‌କୋର୍ଟରେ ୨୦୫ ମାମଲା ଦାଏର ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଲକ୍‌ଡାଉନ୍‌ ଯୋଗୁ ଆପରାଧୀକ ମାମଲା କମିବାରେ ଲାଗିଛି। ଏପ୍ରିଲ୍‌ରେ ଇ-ଫାଇଲିଂରେ ମାତ୍ର ୩୦୫ ମାମଲା ଦାଏର ହୋଇଥିବା ବୋବ୍‌ଡେ ସୂଚନା ଦେଇଛନ୍ତି। ଦେଶରେ ଦେଖାଦେଇଥିବା ମହାମାରୀର ମୁକାବିଲା ପାଇଁ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏହାର ସୁଫଳ ମଧ୍ୟ ମିଳିବାରେ ଲାଗିଛି। ଏଭଳି ସଙ୍କଟ ସମୟରେ ସଂସଦ, ପ୍ରଶାସନ ଏବଂ ନ୍ୟାୟପାଳିକା ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଲେ କୋର୍ଟ ଏଥିରେ ହସ୍ତକ୍ଷେପ କରିବା ଅପରିହାର୍ଯ୍ୟ ହୋଇପଡ଼ିବ। ତେବେ ଦେଶରେ ଲୋକଙ୍କ ସୁବିଧା ସୁଯୋଗ ପ୍ରତି ସରକାର ଯଥେଷ୍ଟ ସଚେତନ ରହିଛନ୍ତି। ଏନେଇ ଦିନରାତି କାର୍ଯ୍ୟ ମଧ୍ୟ ଜାରି ରହିଛି। ପ୍ରବାସୀ ଶ୍ରମିକଙ୍କ ପାଇଁ ଯାହା ସମ୍ଭବ ସେପରି ପଦକ୍ଷେପ ନ୍ୟାୟପାଳିକା ପକ୍ଷରୁ ଗ୍ରହଣ କରାଯାଇଥିବା ସେ କହିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଭିଡ଼ିଓ କନଫରେନ୍ସିଂରେ କୋର୍ଟର କାର୍ଯ୍ୟ କରାଯିବାର ଯୋଜନା ରହିଛି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ବୋବ୍‌ଡେ କହିଛନ୍ତି ଯେ, ଏଭଳି କୌଣସି ନିଷ୍ପତ୍ତି ହୋଇନାହିଁ। ତେବେ ଭିଡ଼ିଓ କନଫରେନ୍ସିଂ କେବେ ମଧ୍ୟ କୋର୍ଟର ସ୍ଥାନ ନେଇ ପାରିବ ନାହିଁ ବୋଲି ସେ କହିଛନ୍ତି।

Share