ଲକ୍‌ଡାଉନ୍‌ ଯୋଗୁ ବଢ଼ିଛି ଷ୍ଟକ୍‌: ବିକ୍ରି ହେଉଛି ଏକ୍ସପାଏରି ଖାଦ୍ୟ ପ୍ୟାକେଟ୍‌

କଟକ ଅଫିସ,୭।୬: ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏଥିରେ ବ୍ୟବସାୟ କ୍ଷେତ୍ର ଭୀଷଣ କ୍ଷତି ସହୁଛି। ଛୋଟ ବଡ଼ ଦୋକାନରେ ସାମଗ୍ରୀ ଷ୍ଟକ୍‌ ବଢ଼ିଯାଇଛି। କ୍ଷତିରୁ ବର୍ତ୍ତିବା ପାଇଁ ଏବେ ବ୍ୟବସାୟୀମାନେ ପୁରୁଣା ଷ୍ଟକ୍‌କୁ ଖାଲି କରିବାରେ ଲାଗିଛନ୍ତି। ଏହି କାରଣରୁ ଏକ୍ସପାଏରୀ ଯାଇଥିବା ଖାଦ୍ୟ ପ୍ୟାକେଟ୍‌ ବଜାରରେ ବିପୁଳ ପରିମାଣରେ ବିକ୍ରି ହେଉଛି। କଟକ ମହାନଗର ନିଗମ (ସିଏମ୍‌ସି) ଏହାକୁ ଯାଞ୍ଚ କରିବା ବଦଳରେ ନିରବ ରହି ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳୁଥିବା ଅଭିଯୋଗ ହୋଇଛି।
ଥରେ ଏକ୍ସପାଇରୀ ଡେଟ୍‌ ସରିଗଲେ ଖାଦ୍ୟ ସାମଗ୍ରୀ ଆଉ ବିକିହେବ ନାହିଁ। ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ-୨୦୦୬ରେ ଏନେଇ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଦୁଇ ମାସର ଲକ୍‌ଡାଉନ୍‌ ପରେ କଟକଣା ସାମାନ୍ୟ କୋହଳ ହେବା ଯୋଗୁ ଦୋକାନ ଯେତେବେଳେ ଖୋଲିଲା, ସମସ୍ତଙ୍କ ପାଖରେ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ଗଚ୍ଛିତ ରହିଥିଲା। ଲକ୍‌ଡାଉନ୍‌ ଅବଧି ଭିତରେ ଖାଦ୍ୟ ସାମଗ୍ରୀର ବୈଧ ତାରିଖ ମଧ୍ୟ ଶେଷ ହୋଇସାରିଥିଲା। ଏବେ ସମସ୍ୟା ହେଲା, ଅନେକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ଏକ୍ସପାଇରୀ ହୋଇଥିବା ଏହି ଖାଦ୍ୟ ସାମଗ୍ରୀଗୁଡ଼ିକୁ ଫେରାଇ ନେବାକୁ ରାଜି ନୁହନ୍ତି। ସେମାନଙ୍କୁ ମଧ୍ୟ କ୍ଷତି ଚିନ୍ତା ଘାରିଛି। ଅପରପକ୍ଷେ ଲକ୍‌ଡାଉନ୍‌ ଯୋଗୁ ଫ୍ୟାକ୍ଟି ବନ୍ଦ ଥିବା ଯୋଗୁ ନୂତନ ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହୋଇପାରୁ ନାହିଁ। ପ୍ରସ୍ତୁତକାରୀ ଓ ଡିଷ୍ଟ୍ରିବ୍ୟୁଟର ମନା କରିଦେବା ପରେ ଏବେ କେତେକ ଅସାଧୁ ବ୍ୟବସାୟୀ ପୁରୁଣା ଓ ଏକ୍ସପାଇରୀ ସରିଥିବା ସାମଗ୍ରୀ ବିକିବାରେ ଲାଗିଛନ୍ତି। ଏଥିରେ ବିସ୍କୁଟ୍‌, କେକ୍‌, ମୃଦୁପାନୀୟ, ଜୁସ୍‌ ପ୍ୟାକେଟ୍‌, ନୁଡଲ୍ସ, ସ୍ନାକ୍ସ ଭଳି ଖାଦ୍ୟ ସାମଗ୍ରୀ ରହିଛି।
Share