Advertisement

ଲକ୍‌ଡାଉନ୍‌ ଯୋଗୁ ଭୋକ ଉପାସରେ ଅସହାୟ: ଖାଦ୍ୟ ବିତରଣ କଲା ବରଗଡ଼ ପୋଲିସ

ବରଗଡ଼ ଅଫିସ,୨୬।୩- ଘାତକ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏଭଳି ସ୍ଥିତିରେ ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିବା ଲୋକଙ୍କୁ ଭୋକ ଉପାସରେ ରହିବାକୁ ପଡୁଛି। ଏହାକୁ ହୃଦୟଙ୍ଗମ କରି ଗୁରୁବାର ସ୍ଥାନୀୟ ହାଟପଦାସ୍ଥିତ ସାଇସେବା ଟ୍ରଷ୍ଟ ଏବଂ ପୋଲିସ ସହଯୋଗର ହାତ ବଢାଇଛନ୍ତି। ସାଇସେବା ଟ୍ରଷ୍ଟର ସ୍ବେଚ୍ଛାସେବୀମାନେ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ଦେବା ପରେ ସ୍ଥାନୀୟ ପୋଲିସ ତାକୁ ନେଇ ଅସହାୟ ଅବସ୍ଥାରେ ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ, ଡାକ୍ତରଖାନା ଅଞ୍ଚଳରେ ରହିଥିବା ଲୋକଙ୍କୁ ବିତରଣ କରିଥିଲା। ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ରଣା, ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ, ଏସ୍‌ଆଇ ସନୟ କୁମାର ନାୟକ, ସୌମ୍ୟକାନ୍ତ ବଳିୟାର ସିଂଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଏଥିରେ ସାମିଲ ଥିଲେ। ସାଇସେବା ଟ୍ରଷ୍ଟ ଏବଂ ପୋଲିସର ଏଭଳି ସହଯୋଗକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share