Advertisement

ଲକ୍‌ଡାଉନ୍‌ ଯୋଗୁ ମହଙ୍ଗା ମାଡ଼: ପିଆଜ ନୁହେଁ ଏବେ କନ୍ଦାଉଛି ଆଳୁ

ବିଜେପୁର,୨୬।୩(ଡି.ଏନ୍‌.ଏ.): କରୋନା ଯୋଗୁ ସାରା ରାଜ୍ୟ ଲକ୍‌ଡାଉନ୍‌। ହେଲେ ପରିବା, ରାସନ, ମାଛ, ମାଂସ ଦୋକାନ ଖୋଲା ରହିଛି। ହେଲେ ଏହାର ଫାଇଦା ନେବାକୁ ଅସାଧୁ ବେପାରୀ କୁତ୍ରିମ ଅଭାବ ସୁଷ୍ଟି କରୁଛନ୍ତି। ଫଳରେ ଏବେ ପିଆଜ ଅପେକ୍ଷା ଆଳୁ ଲୋକଙ୍କୁ କନ୍ଦାଉଛି। ପିଆଜ କାଟିଲେ ସିନା ଆଖିରୁ ଲୁହ ବାହାରେ ହେଲେ ଏବେ ଆଳୁ ଦର ଶୁଣି ଲୋକଙ୍କ ଆଖିରୁ ଲୁହ ଝରୁଛି। ବରଗଡ଼ ଜିଲା ବିଜେପୁର ଏନ୍‌ଏସି ସଦର ମହକୁମାରେ ଏଭଳି ପରିସ୍ଥିତି ସୁଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଗତ ସୋମବାର ଏଠାରେ ଆଳୁ ୧୫ରୁ ୨଼୦ଟଙ୍କାରେ ବିକ୍ରି ହେଉଥିଲା। ହେଲେ ଗୁରୁବାର ଆଳୁ ୩୦ଟଙ୍କାରେ ବିକ୍ରି ହେଉଛି। ପିଆଜ ଦର ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହାଠାରୁ ଆଳୁର ଦର ଅଧିକ ହେଉଛି। ତେଣୁ ଗରିବଙ୍କ ପାଇଁ ଏହା ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ଘରେ ଦିନ ମଜୁରିଆ ହାତ ବାନ୍ଧି ବସିଥିବାବେଳେ ଆଳୁର ଅହେତୁକ ଦର ବୁଦ୍ଧି ସେମାନଙ୍କ ଆଖିରୁ ନିଦ ହଜାଇ ଦେଲାଣି। ହୋଲସେଲ୍‌ ବେପାରୀ ଆଳୁ ୫୦କିଗ୍ରା ବସ୍ତା ପିଛା ୯୦୦ ନେଉଥିବାବେଳେ ଏବେ ୧୨୦୦ଟଙ୍କା ନେଉଛନ୍ତି। ତେଣୁ ଆମେ ଏଭଳି ବିକ୍ରି କରିବାକୁ ବାଧ୍ୟ ହେଉଛୁ ବୋଲି ଖୁଚୁରା ବେପାରୀମାନେ ପ୍ରତିକ୍ରିୟା ରଖୁଛନ୍ତିି। ଏ ନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ ମଧ୍ୟ ଏହା ଆମ କାମ ନୁହେଁ ବୋଲି ହାତ ଟେକି ଦେଉଛନ୍ତି। ତେଣୁ ଏଦିଗରେ ଜିଲାପାଳ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share