ଲକ୍‌ଡାଉନ୍‌ ଯୋଗୁ ୨୧ ରାଜ୍ୟର ୯୭,୧୦୦ କୋଟି କ୍ଷତି: ଗୁଜରାଟର ସର୍ବାଧିକ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଏହାଯୋଗୁ ଏପ୍ରିଲ୍‌ ମାସରେ ୨୧ଟି ରାଜ୍ୟର ମୋଟ ୯୭,୧୦୦ କୋଟି ଟଙ୍କା କ୍ଷତି ହୋଇଛି। ଏନେଇ ଇଣ୍ଡିଆ ରେଟିଙ୍ଗ୍ସ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଲକ୍‌ଡାଉନ୍‌ ଯୋଗୁ ବିମାନ ଚଳାଚଳ, ପରିବହନ, ପର୍ଯ୍ୟଟନ, ହୋଟେଲ ହସ୍ପିଟାଲିଟି ତଥା ବିଭିନ୍ନ ବ୍ୟବସାୟ ଆଦି ବନ୍ଦ ରହିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏପ୍ରିଲ୍‌ ମାସରେ ଜିଏସ୍‌ଟିରୁ ୨୬,୯୬୨ କୋଟି, ଓଜନ ଓ ମାପରୁ ୧୭,୮୯୫ କୋଟି, ଏକ୍ସାଇଜ୍‌ ଡ୍ୟୁଟିରୁ ୧୩,୭୮୫ କୋଟି, ଷ୍ଟାମ୍ପ୍‌ ଏବଂ ରେଜିଷ୍ଟ୍ରେଶନ ଡ୍ୟୁଟିରୁ ୧୧,୩୯୭ କୋଟି, ଯାନବାହନ ଟିକସରୁ ୬,୦୫୫ କୋଟି, ବିଦ୍ୟୁତ୍‌ ଟିକସରୁ ୩,୪୬୪ କୋଟି ଏବଂ ଅଣ-ଟିକସ ରାଜସ୍ବ ଭାବେ ୧୭,୫୯୫ କୋଟି ଟଙ୍କା ସଂଗ୍ରହ ହେବାର ଥିଲା। ମାତ୍ର ଲକ୍‌ଡାଉନ୍‌ ଯୋଗୁ ଏହା ସମ୍ଭବ ହୋଇପାରି ନାହିଁ। ଗୁଜରାଟ, ହରିୟାଣା,କର୍ନାଟକ,କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡୁ, ତେଲଙ୍ଗାନା ଆଦି ରାଜ୍ୟରେ ୫୬ରୁ ୭୬ ପ୍ରତିଶତ ପର୍ଯ୍ୟନ୍ତ ରାଜସ୍ବ କ୍ଷତି ହୋଇଛି। ଗୁଜରାଟର ସର୍ବାଧିକ ୭୬ ପ୍ରତିଶତ କ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ତେଲଙ୍ଗାନାର ୭୫.୬ ପ୍ରତିଶତ, ହରିୟାଣାର ୭୪.୭ ପ୍ରତିଶତ, କର୍ନାଟକର ୭୧.୪ ପ୍ରତିଶତ କ୍ଷତି ହୋଇଛି। ଅପରପକ୍ଷରେ ତାମିଲ୍‌ନାଡୁର ୭୦.୪ ପ୍ରତିଶତ, ମହାରାଷ୍ଟ୍ରର ୬୯.୮ ପ୍ରତିଶତ, କେରଳର ୬୯.୬ ପ୍ରତିଶତ ଏବଂ ଗୋଆର ୬୬.୯ ପ୍ରତିଶତ ରାଜସ୍ବ କ୍ଷତି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।

Share