Advertisement

ଲକ୍‌ଡାଉନ୍‌ ସମୟରେ କଳାବଜାର ରୋକିବାକୁ ଜିଲା ପୋଲିସ ପକ୍ଷରୁ ବ୍ୟବସାୟୀ ସଂଘ ସହ ଆଲୋଚନା

ଦେବଗଡ଼,୨୫।୩:(ଡି.ଏନ୍‌.ଏ.): କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ଓ ଜନସାଧାରଣଙ୍କ ଚିନ୍ତା ବଢ଼ାଇଛି। ଏପରିସ୍ଥଳେ ରାଜ୍ୟକୁ ଲକ୍‌ଡାଉନ୍‌ କରାଯାଇଛି। କେବଳ ଅତ୍ୟାବଶ୍ୟକ ଦୋକାନଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଖୋଲା ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।  ଯାନବାହନ ଚଳାଚଳ ନେଇ ମଧ୍ୟ ନିୟନ୍ତ୍ରଣ କରାଯାଇଛି । ଏ ନେଇ ମଙ୍ଗଳବାର ଜିଲା ପୋଲିସ ପକ୍ଷରୁ ଦେବଗଡ଼ ଆଦର୍ଶ ଥାନା ପରିସରରେ ବଣିକ ସଂଘ, ଔଷଧ ଦୋକାନୀ ସଂଘ, ପନିପରିବା ବଜାର ସଂଘର ସଦସ୍ୟମାନଙ୍କୁ ନେଇ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଏହି ବୈଠକରେ ଜିଲାରେ ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ଓ କଳାବଜାର ରୋକିବା ନେଇ ଆଲୋଚନା କରାଯିବା ସହ ସଉଦା, ପନିପରିବା ଭଳି ଦୈନନ୍ଦିନ ଆବଶ୍ୟକତ ଥିବା ସାମଗ୍ରୀ ଜିଲାରେ ମହଜୁଦ ରଖିବା ପାଇଁ ବୈଠକରେ ଜିଲା ପୋଲିସ ପକ୍ଷରୁ ବିଭିନ୍ନ ବ୍ୟବସାୟୀ ସଂଘ ସଦସ୍ୟଙ୍କୁ ସଚେତନ କରାଯିବା ସହ ଜିଲାରେ କରୋନା ସଂକ୍ରମଣ ରୋକିବା ପାଇଁ ବ୍ୟବସାୟୀମାନଙ୍କୁ ଅନୁରୋଧ କରାଯାଇଥିଲା। ପ୍ରଶାସନ ନିର୍ଦ୍ଦେଶକୁ ଅବମାନନା କରି କଳାବଜାର କରୁଥିବା ସୂଚନା ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସତର୍କ କରାଯାଇଥିଲା। ଏହି ବୈଠକରେ ଜିଲା ପୋଲିସ ପକ୍ଷରୁ ଏସ୍‌ଡିପିଓ ସୁଲେମାନ ଏକ୍କା, ଦେବଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଓ ବ୍ୟବସାୟୀ ସଂଘ ପକ୍ଷରୁ ବଣିକସଂଘ ସଭାପତି ଉମା ଶଙ୍କର ସାହୁ ଓ ପ୍ରଦ୍ୟୁମ୍ନ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel