ଲକ୍‌ଡାଉନ୍‌ ସମୟରେ କାମ ମିଳିଲା: କାର୍ଯ୍ୟ ଅବଧି ବୃଦ୍ଧି କରିବାକୁ ଦାବି କଲେ ଜବକାର୍ଡଧାରୀ

ବନ୍ତ,୭।୬(ଡି.ଏନ୍‌.ଏ.): କରୋନା ଲକ୍‌ଡାଉନ୍‌ ସମୟରେ ଦିନମଜୁରିଆଠାରୁ ପ୍ରବାସୀ ଶ୍ରମିକ ପର୍ଯ୍ୟନ୍ତ ସମସ୍ତେ କାମ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଭଳିସ୍ଥଳେ ଭଦ୍ରକ ଜିଲା ବନ୍ତ ବ୍ଲକ ପକ୍ଷରୁ ଗୋବିନ୍ଦପୁର ପଞ୍ଚାୟତର ଜବକାର୍ଡଧାରୀଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦିଆଯାଇଛି । ହେଲେ ଏହି କାର୍ଯ୍ୟ ଦିବସକୁ ଅଧିକ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଶ୍ରମିକମାନେ ଦାବି କରିଛନ୍ତି ।
ପ୍ରକାଶ ଯେ, ଭଦ୍ରକ ଜିଲା ବନ୍ତ ଗୋବିନ୍ଦପୁର ପଞ୍ଚାୟତ ଅଧୀନ ତରାଗୋ ଆର୍‌ଡିରାସ୍ତାଠାରୁ ଅଁଳାଶୁଣୀ ପର୍ଯ୍ୟନ୍ତ ପ୍ରାୟ ୨କିମି ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଗତ ୩ ତାରିଖଠାରୁ ଆରମ୍ଭ ହୋଇଛି । ମନରେଗା ଯୋଜନାରେ ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୫ଲକ୍ଷ ଟଙ୍କା ରହିଛି । ଦୈନନ୍ଦିନ ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ପ୍ରାୟ ୧୫୦ରୁ ୨ଶହ ଜବକାର୍ଡଧାରୀ କାମ କରୁଛନ୍ତି । ହେଲେ ସରକାରୀ ନିୟମ ଅନୁଯାୟୀ ଆସନ୍ତା ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ମନରେଗା କାର୍ଯ୍ୟ ଚାଲିବାକୁ ଥିବାରୁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ତରଫରୁ ଏହି ନିର୍ମାଣ କାର୍ଯ୍ୟକୁ ଆଉ କିଛି ଦିନ ଅଧିକ ବୃଦ୍ଧି କରିବାକୁ ଦାବି କରିଛନ୍ତି।