ଲକ୍‌ଡାଉନ୍‌ ସମୟରେ ଗ୍ରାମରକ୍ଷୀଙ୍କୁ ମାଡ଼: ଯୁବକ ଗିରଫ

ସଜନାଗଡ଼, ୧୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଧୀନ ରାଧାକିଶୋରପୁର ପଞ୍ଚାୟତ ପରିବା ମାର୍କେଟ୍‌ରେ ବିନା କାରଣରେ ଜଣେ ଯୁବକ ବାଇକ୍‌ ନେଇ ଯାଉଥିବାରୁ ପୋଲିସ ତାଙ୍କୁ ଅଟକାଇଥିଲା। ଉକ୍ତ ଯୁବକ ଏଥିରେ ଉତ୍ତେଜିତ ହୋଇ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଜଣାପଡିଛି।
ରାଧାକିଶୋରପୁର ପଞ୍ଚାୟତର ପରିବା ହାଟରେ ଗୁରୁବାର ପୂର୍ବାହ୍ନ ୭ଟା ବେଳେ ଗ୍ରାମରକ୍ଷୀ ହରିଶ୍ଚନ୍ଦ୍ର ପାତ୍ର ହାଟ ଭିତରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ଲୋକଙ୍କୁ ତାଗିଦ୍‌ କରୁଥିଲେ। ଉକ୍ତ ପଞ୍ଚାୟତର ଶଶିଧର ରାଜ ନାମକ ଯୁବକ ବାଇକ୍‌ (ନଂ. ଓଡ଼ି୦୧କ୍ୟୁ-୩୭୦୫) ଯୋଗେ ହାଟ ଭିତରକୁ ପଶୁଥିବା ବେଳେ ଗ୍ରାମରକ୍ଷୀ ତାଙ୍କୁ ବାରଣ କରିଥିଲେ। ଏଥିରେ ଶଶିଧର ଉତ୍ତ୍ୟକ୍ତ ହୋଇ ଗ୍ରାମରକ୍ଷୀଙ୍କୁ ଆକ୍ରମଣ କରିଥିଲେ। ପରେ ଗ୍ରାମରକ୍ଷୀ ପାତ୍ର ନୀଳଗିରି ଥାନାରେ ଶଶଧରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ମାମଲା (ନଂ. ୧୨୨/୨୦) ରୁଜୁ ହେବା ସହ ଶଶଧରଙ୍କୁ ଗିରଫ କରାଯାଇଛି। ତାଙ୍କର ବାଇକ୍‌କୁ ଅଟକ ରଖାଯାଇଛି।