ଲକ୍‌ଡାଉନ୍‌ ସମୟରେ ଦୁଇ ନିଆରା ସେବାକାରୀ

ଭଦ୍ରକ ଅଫିସ,୧୮।୪: ଲକ୍‌ଡାଉନ୍‌ ସମୟରେ ଦୁଇ ନିଆରା ସେବାକାରୀଙ୍କୁ ନେଇ ଏବେ ଭଦ୍ରକରେ ଚର୍ଚ୍ଚା ଜୋର ଧରିଛି। ଲକ୍‌ଡାଉନ୍‌ରେ ଘରେ ସମସ୍ତେ ବନ୍ଦୀ ହୋଇ ଥିବାବେଳେ ଏହି ଦୁଇ ଜଣ ବ୍ୟକ୍ତି କିନ୍ତୁ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇବାରେ ବ୍ୟସ୍ତ ରହୁଛନ୍ତି। ଏଥିରେ ସେମାନଙ୍କୁ ଅଶେଷ ଶାନ୍ତି ମିଳୁଛି ବୋଲି ୬୦ବର୍ଷୀୟ ଶିକ୍ଷାବିତ ସୁବାସ ରାୟ ଓ ସମାଜସେବୀ ତଥା ଅବସରପ୍ରାପ୍ତ କର୍ମଚାରୀ ଦିଲୀପ ନାୟକ କହିଛନ୍ତି। ସନ୍ଧ୍ୟା ହେଲେ ଦୁହେଁ ଏକ କଣ୍ଟେନରରେ ପ୍ରାୟ ୨୫ଲିଟର ଚା’ ଧରି ସହରରେ ବୁଲି ବୁଲି ଚା’ ବାଣ୍ଟିଥାନ୍ତି। ଆରଡ଼ି ଛକଠାରୁ ଶନିମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାରେ ଯାଉଥିବା ଲୋକଙ୍କୁ ସୁବାସ ଓ ଦିଲ୍ଲୀପ ମାଗଣାରେ ଚା’ ବାଣ୍ଟୁଥିବା ଦେଖିବାକୁ ମିଳିଛି। ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟ, କାର୍ଯ୍ୟରତ ପୋଲିସ କର୍ମଚାରୀ, ସାମ୍ବାଦିକ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଏମାନେ ଚା’ ବାଣ୍ଟୁିଥାନ୍ତି। ସେହିପରି ସକାଳ ସମୟରେ ଲୋକଙ୍କୁ କେତେବେଳେ ରନ୍ଧା ଖାଦ୍ୟ ତ ଆଉ କେତେବେଳେ ଶୁଖିଲା ଖାଦ୍ୟ ବାଣ୍ଟି ନିଜର ମାନବିକତାର ପରିଚୟ ଦେଖେଇଥାନ୍ତି ଏହି ଦୁଇ ସାଙ୍ଗ। ସେମାନଙ୍କ ଏଭଳିି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି।

Share