ଲକ୍‌ଡାଉନ୍‌ ସମୟରେ ବଢ଼ୁଛି କଳାବଜାରୀ: ନିର୍ଦ୍ଧାରିତ ଦରଠାରୁ ଅଧିକା ନେଲେ କାର୍ଯ୍ୟାନୁଷ୍ଠାନ, ଅଭିଯୋଗ କରିପାରିବେ ଖାଉଟୀ

ଖୋର୍ଦ୍ଧା ଅଫିସ,୭ା୪ : ଲକ୍‌ଡାଉନ୍‌ ସମୟରେ କେତେ ଜଣ କଳାବଜାରୀ ଖୁଚୁରା ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାର କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପରିବେଷଣ ପରେ ଖୋର୍ଦ୍ଧା ଜିଲା ପ୍ରଶାସନର ଚେତା ପଶିଛି। ଖୁଚୁରା ବଜାରରେ ଦର ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ବ୍ୟବସାୟୀ ସଂଘ ଆଲୋଚନା କରି ପାଇକାରୀ ଓ ଖୁଚୁରା ଦର ନିର୍ଦ୍ଧାରଣ କରିଛନ୍ତି। କୌଣସି ବେପାରୀ ଧାର୍ଯ୍ୟ ଦର ଠାରୁ ଅଧିକ ଟଙ୍କାରେ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ଆସିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଶିତାଂଶୁ ରାଉତ କହିଛନ୍ତି।

ଜିଲାପାଳ କହିଛନ୍ତି, କୌଣସି ବେପାରୀ ଅଧିକ ଦରରେ ସାମଗ୍ରୀ ବିକ୍ରି କଲେ, ଖାଉଟୀ ମାନେ ସମ୍ପୃକ୍ତ ଥାନା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଯୋଗାଣ ନୀରିକ୍ଷକ ଓ ଅଥବା ଏନ୍‌ଫୋର୍ସମେଣ୍ଟ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ସହକାରୀ ଯୋଗାଣ ଅଧିକାରୀ ଅଜୟ କୁମାର ରଥ କୁହନ୍ତି ନିର୍ଦ୍ଧାରିତ ଦର ଉପରେ ନଜର ରଖିବା ଲାଗି ସମସ୍ତ ବ୍ଲକ ଯୋଗାଣୀ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖୁଚୁରା ବଜାର ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି ବୋଲି ରଥ କହିଛନ୍ତି।

ନିର୍ଦ୍ଧାରିତ ଦର ତାଲିକା ମଧ୍ୟରେ ହରଡ ଡାଲି ପାଇକାରୀ (ଶହେ କ୍ରି.ଗ୍ରା ପିଛା)ଦର ୮୮ଶହ ଟଙ୍କା ରହିଥିବା ବେଳେ ଖୁଚୁରା ଦର କେଜି ପିଛା୯୨ଟଙ୍କାରେ ବିକ୍ରି କରିବେ। ସେହିପରି ମୁଗ ଡାଲି ପାଇକାରୀ ଦର ୧ହଜାର ଏବଂ ଖୁଚୁରା ଦର କେଜି ପିଛା ୧୦୫, ବୁଟ ଡାଲି ପାଇକାରୀ ୬୪ ଶହ ଓ କେଜି ପିଛା ୬୮, ବିରି ଡାଲି ପାଇକାରୀ ୯୨ଶହ ଓ କେଜି ପିଛା ୯୬ଟଙ୍କା, ଅଟା ପାଇକାରୀ ଦର୨୭୫୦ ରହିଥିବା ବେଳେ ଖୁଚୁରାରେ କେଜି ପିଛା ୩୨ଟଙ୍କାରେ ବିକ୍ରି ହେବ। ସେହିପରି ମଇଦା ପାଇକାରୀ ୨୮ଶହ ଓ କେଜି ପିଛା ୩୩ଟଙ୍କା ରହିଛି। ସୁଜି ପାଇକାରୀ ୨୯ ଶହ ଓ ଖୁଚୁରାରେ କେଜି ପିଛା ୩୩ ଟଙ୍କା, ଆଳୁ ପାଇକାରୀ ୧୫ଶହ ଓ ଖୁଚୁରାରେ କେଜି ପିଛା ୧୯ଟଙ୍କା, ପିଆଜ ପାଇକାରୀ ୨୪ଶହ ଟଙ୍କା ରହିଥିବା ବେଳେ ଖୁଚୁରାରେ କେଜି ପିଛା ୨୯ ଟଙ୍କା, ଚୁଡା ପାଇକାରୀ ୨୬ଟଙ୍କା ଓ ଖୁଚୁରାରେ କେଜି ପିଛା ୩୦ଟଙ୍କା, ଚିନି ପାଇକାରୀ ୩୮୫୦ ଓ ଖୁଚୁରାରେ କେଜି ପିଛା ୪୨ଟଙ୍କା ଏବଂ ସୋରିଷ ତେଲ ପାଇକାରୀ ଦର ଲିଟର ପାଉଚ ୧୧୨ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଖୁଚୁରାରେ ଲିଟର ପିଛା ୧୧୭ ଏବଂ ପାମ ଅଏଲ ଲିଟର ପିଛା ୮୧ ଓ ଖୁଚୁରାରେ ଲିଟର ପିଛା ୮୫ଟଙ୍କାରେ ବିକ୍ରି ଲାଗି ଦର ଧାର୍ଯ୍ୟ କରାଯାଇଛି।

Share