ଲକ୍‌ଡାଉନ୍‌ ସମୟରେ ବି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ କମୁନି: ରାଜଧାନୀର ୨ ଘରୁ ଲୁଟିନେଲେ ଟଙ୍କା, ଅଳଙ୍କାର

କଲେଜରୋଡ୍‌,୧୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ଯେଭଳି ନ ବ୍ୟାପେ ସେନେଇ କମିଶନରେଟ୍‌ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚେକିଂ ଜାରିରଖିଛି। କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ କମୁନି। ଘରେ ସମସ୍ତେ ଥିବା ବେଳେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ୨ଟି ଘରୁ ଟଙ୍କା, ସୁନା ଅଳଙ୍କାର ଓ ମୋବାଇଲ ଲୁଟିନେଇଛନ୍ତି ଦୁର୍ବୃତ୍ତ। ଝାରପଡ଼ା କେନାଲରୋଡ ବୈରାଗୀ ନଗରରେ ରହୁଥିବା ନଳିନୀକାନ୍ତ ବେହେରାଙ୍କ ଘରେ ପଶି ଆଲମିରା ଭାଙ୍ଗି ପ୍ରାୟ ୪ ଲକ୍ଷ ୬ ହଜାର ଟଙ୍କା, ୨ଟି ମୋବାଇଲ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। କେହି ଦୁର୍ବୃତ୍ତ ନିଶା ଔଷଧ ସ୍ପ୍ରେ କରି ଏଭଳି କାଣ୍ଡ ଘଟାଇ ଥାଇପାରନ୍ତି ବୋଲି ନଳିନୀକାନ୍ତ ଏତଲାରେ ଦର୍ଶାଇଛନ୍ତି। ସେହିଭଳି ଲେନ୍‌ ୨ରେ ରହୁଥିବା ବୈଦନାଥ ଦାସଙ୍କ ଘର ଝରକା ପଟେ ଗୋଟିଏ ମୋବାଇଲ ଓ ପର୍ସ ଚୋରି ଯାଇଥିବା ରବିବାର ବୈଦନାଥ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଅନୁସନ୍ଧାନ ଜାରିରଖିଛି। ସେହିପରି ଶୁକ୍ରବାର ମଧ୍ୟ ବୁଦ୍ଧେଶ୍ୱରୀ କଲୋନୀ ଅଞ୍ଚଳରେ ଥିବା ଏକ ପାନଦୋକାନ ତାଲା ଭାଙ୍ଗି ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

Share