ଲକ୍‌ଡାଉନ୍‌ ସମୟସୀମା ୩୧ ମେ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ଚତୁର୍ଥ ଥର ଲାଗି ବୃଦ୍ଧି କରାଯାଇଛି। ମେ ୩୧ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ଜାରି ରହିବ। ଚତୁର୍ଥ ଥର ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ର ସମୟ ସୀମା ୧୪ ଦିନ ରହିଛି। ଚତୁର୍ଥ ଥର ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଏନ୍‌ଡିଏମ୍‌ଏ) ଘୋଷଣା କରିବା ପରେ ସ୍ବରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ପ୍ରକାଶ ପାଇଛି। ଲକ୍‌ଡାଉନ୍‌ ସମୟରେ ଘରୋଇ ତଥା ବିଦେଶୀ ଉଡ଼ାଣକୁ ବନ୍ଦ ରଖାଯିବାକୁ କୁହାଯାଇଛି। ସେହିପରି ହଟ୍‌ସ୍ପଟ୍‌ କଡ଼ାକଟକଣା ପୂର୍ବବତ୍‌ ରହିବ ବୋଲି ସୂଚିତ କରାଯାଇଛି। ଧାର୍ମିକ ସ୍ଥଳ, ଶପିଂ ମଲ୍‌,ମେଟ୍ରୋ- ସିନେମା ହଲ, ରେଷ୍ଟୁରାଣ୍ଟ, ହୋଟେଲ, ସୁଇମିଂ ପୁଲ୍‌, ମନୋରଞ୍ଜନ ପାର୍କ, ଷ୍ଟାଡ଼ିୟମ୍‌ ଆଦି ବନ୍ଦ ରହିବ। ଏହା ସହିତ ସମସ୍ତ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିବ। ଆନ୍ତଃରାଜ୍ୟ ବସ ସେବାକୁ ନୂଆ ମାର୍ଗଦର୍ଶିକାରେ ମଞ୍ଜୁରୀ ଦିଆଯାଇଛି। ତେବେ ଏନେଇ ଦୁଇ ରାଜ୍ୟର ସହମତି ଉପରେ ଗୁରୁତ୍ୱାରୋପ କରାଯାଇଛି। ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ। ସକାଳ ୭ଟାଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ରହିବ। ସେହିପରି ବିବାହ ଉତ୍ସବରେ ୫୦ ଜଣଙ୍କୁ ଯୋଗଦେବାର ଅନୁମତି ମିଳିବ। ଗୋଟିଏ ଦୋକାନରେ ୫ରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ। କରୋନା ସଂକ୍ରମଣ ଅନୁସାରେ ରାଜ୍ୟ ସରକାରଙ୍କୁ ରେଡ୍‌, ଅରେଞ୍ଜ୍‌ ଏବଂ ଗ୍ରୀନ୍‌ ଜୋନ୍‌ ଅଞ୍ଚଳକୁ ପୁଣିଥରେ ଚିହ୍ନଟ କରିବା ଲାଗି ନୂଆ ମାର୍ଗ ଦର୍ଶିକାରେ ଅଧିକାର ଦିଆଯାଇଛିି। ସୂଚନାଯୋଗ୍ୟ, ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ମିଜୋରାମ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପୂର୍ବରୁ ନିଜ ନିଜ ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ୩୧ ମେ ପର୍ଯ୍ୟନ୍ତ ବଢ଼ାଇଥିଲେ।

Share