ଲକ୍‌ଡାଉନ୍‌ ହଟିବା ପରେ ବି ରହିବ କଟକଣା !

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣକୁ ରୋକିବାକୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏବେ ଏହା ପୂରଣ ହେବାକୁ ଆଉ ମାତ୍ର ୭ ଦିନ ବାକି ଥିବା ବେଳେ ଲକ୍‌ଡାଉନ୍‌ ଖୋଲିବାକୁ ନେଇ ଉପୁଜୁଛି ସଂଶୟ। ଶୁଣିବାକୁ ମିଳିଛି କି ଲକ୍‌ଡାଉନ୍‌ର ସମୟ ସରିବା ପରେ ବି କିଛି ଅଞ୍ଚଳରେ ଏହା ବଳବତ୍ତର ରହିପାରେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର କରୋନା ପ୍ରଭାବିତ ରାଜ୍ୟ ଗୁଡିକୁ ୪ଟି ଶ୍ରେଣୀରେ ବିଭକ୍ତ କରାଯିବ। ଆଉ ଏଥିରେ ଥିବା ନିୟମ ଅନୁଯାୟୀ କେଉଁ ରାଜ୍ୟରୁ ଲକ୍‌ଡାଉନ୍‌ ହଟିବ କେଉଁ ରାଜ୍ୟରୁ ହଟିବ ନାହିଁ ତାହା ଘୋଷଣା କରିଯାଇପାରେ ବୋଲି କୁହାଯାଉଛି। ତେବେ ଚତୁର୍ଥ ଶ୍ରେଣୀରେ ରହୁଥିବା ରାଜ୍ୟ ଗୁଡିକରେ ଯଦି ଗତ ୭ ଦିନ ମଧ୍ୟରେ କେହି କରୋନା ପଜିଟିଭ ଚିହ୍ନଟ ହୋଇ ନ ଥିବେ ତେବେ ସେଠାରେ ଲକ୍‌ଡାଉନ୍‌ ଉଠିବାକୁ ନେଇ ବିଚାର କରାଯାଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ଯେଉଁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି ସେଠାରେ ଲକ୍‌ଡାଉନ୍‌ ହଟାଇବାକୁ ନେଇ ସ୍ବତନ୍ତ୍ର ଭାବେ ଚିନ୍ତା କରାଯାଇ ପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଯେଉଁ ରାଜ୍ୟରେ ୨୦ରୁ ଅଧିକ କରୋନା ସଂକ୍ରମିତ ଥିବେ ତାକୁ ତୃତୀୟ ଶ୍ରେଣୀରେ ରଖାଯାଇଛି। ଏହି ରାଜ୍ୟରେ ବି ଲକ୍‌ଡାଉନ୍‌ ଉଠି ନ ପାରେ ବୋଲି କୁହାଯାଉଛି। ସେହିପରି ଯେଉଁ ରାଜ୍ୟର ମାତ୍ର ୧-୨ ଜିଲାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ସେସବୁ ରାଜ୍ୟକୁ ଦ୍ୱିତୀୟ ଶ୍ରେଣୀରେ ରଖାଯିବ ବୋଲି କୁହାଯାଉଛି। ତେବେ ପ୍ରଥମ ଶ୍ରେଣୀରେ ସେହି ରାଜ୍ୟଗୁଡିକୁ ସାମିଲ କରାଯିବ ଯେଉଁ ରାଜ୍ୟର ଗୋଟିଏ ମାତ୍ର ଜିଲାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବ। ଏଭଳି ରାଜ୍ୟରୁ ଲକ୍‌ଡାଉନ୍‌ ଉଠାଯାଇ ପାରେ ବୋଲି କୁହାଯାଉଛି।

Share