ଲକ୍‌ଡାଉନ୍‌ ୫.୦: ଜୁନ ୩୦ ଯାଏ କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ଲାଗୁ, ବାକି ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଖୋଲିବାକୁ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୩୦।୫: କରୋନା ମୁକାବିଲା ପାଇଁ ଦେଶରେ ପୁଣି ଥରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଲକଡାଉନ ୫.୦ ପାଇଁ ସରକାର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ତେବେ ଜୁନ୍‌ ୩୦ ଯାଏ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ହିଁ ଲକ୍‌ଡାଉନ୍‌ ଜାରି ରହିବ। କଣ୍ଟେନମେଣ୍ଟ ଜୋନ୍‌ ବାହାରେ ପର୍ଯ୍ୟାୟକ୍ରମେ ଏହାକୁ ଖୋଲିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ମେ ୩୧ରେ ଲକ୍‌ଡାଉନ୍‌ ୪.୦ ଅବଧି ଶେଷ ହେବ। ଏଭଳି ପରିସ୍ଥିତିରେ ସରକାର ଏହାକୁ ଆଉ ଏକ ମାସ ପାଇଁ ବୃଦ୍ଧି କରିଛନ୍ତି। ଜୁନ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ ୫.୦ ରହିବ। ବିଦ୍ୟାଳୟ ଓ କଲେଜ ଖୋଲିବା ନିଷ୍ପତ୍ତିକୁ କେନ୍ଦ୍ର ସରକାର ରାଜ୍ୟଗୁଡିକ ଉପରେ ଛାଡ଼ିଛନ୍ତି। ଜୁଲାଇରେ ରାଜ୍ୟମାନେ ଏହା ଉପରେ ନିଷ୍ପତ୍ତି ନେବେ। ହେଲେ ହୋଟେଲ, ଧାର୍ମିକ ସ୍ଥାନ, ରେଷ୍ଟୁରାଣ୍ଟ ଆଦି ଜୁନ ୮ ରୁ ଖୋଲାଯିବ। ତେବେ ଏହାକୁ ସର୍ତ୍ତ ସହିତ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି।

ଦେଶରେ ରାତିି ୯ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କର୍ଫୁ ବଳବତ୍ତର ରହିବ। ଲୋକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରିବେ। ଏଥିପାଇଁ ଲୋକଙ୍କୁ ଆଉ ପାସ ଦେଖାଇବାକୁ ପଡିବ ନାହିଁ। ସେହିଭଳି ଶପିଂ ମଲ ଏବଂ ସେଲୁନ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି।

Share