ଲକ୍‌ଡାଉନ୍‌: ୯୦ ଦେଶର ୪୫୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ; ଆଇନ ନ ମାନିଲେ ଜରିମାନା-ଜେଲ୍‌ଦଣ୍ଡ-ଗୁଳି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ/ୱାଶିଂଟନ,୫।୪: ପୃଥିବୀର ୨୦୫ଟି ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥ୍‌ିତି ଅସମ୍ଭାଳ ହେବାରେ ଲାଗିଛି । ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ୍ ଦେଶର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହାଯୋଗୁ ୯୦ ଦେଶର ୪୫୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ ହୋଇ ରହିଛନ୍ତି । ଲୋକେ ଲକ୍‌ଡାଉନ୍‌ର ଉଲ୍ଲଘଂନ କରି ଘରୁ ବାହାରିଲେ କେତେକ ଦେଶରେ ଜରିମାନା ମଧ୍ୟ ଲାଗୁ ହୋଇ ଥିବାବେଳେ ଅନ୍ୟ କେତେକ ଦେଶରେ ଜେଲ୍‌ଦଣ୍ଡ ଏବଂ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇଟାଲିରେ ଘରୁ ବାହାରୁଥିବା ଲୋକଙ୍କ ଉପରେ ଅଢ଼େଇଲକ୍ଷରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡାଦେଶ ଲାଗୁ ହୋଇଛି । ଏଠାରେ ଇତିମଧ୍ୟରେ ୪୦ ହଜାରରୁ ଅଧିକ ଲୋକଙ୍କ ଉପରେ ଜରିମାନା କରାଯାଇଛି । ରୁଷିଆରେ କ୍ୱାରାଣ୍ଟାଇନ୍ ନିୟମ ଭାଙ୍ଗିଲେ ୭ ବର୍ଷ ଜେଲ୍ ଏବଂ କରୋନା ସଂକ୍ରମଣ ହୋଇଥିବା ଲୁଚାଇଲେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଆଇନ ପ୍ରଚଳନ କରାଯାଇଛି । ଫିଲିପାଇନ୍ସ୍‌ରେ ଲକ୍‌ଡାଉନ୍ ଉଲ୍ଲଂଘନ କରାଗଲେ ଗୁଳି ମାରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଅଷ୍ଟ୍ରିଆରେ ଘରୁ ବାହାରିଲେ ମାସ୍କ୍ ପିନ୍ଧିବାକୁ ଆଇନ ଜାରି ହୋଇଛି । ସୌଦିରେ ଘରୁ ବାହାରିଲେ ୧ କୋଟି ଟଙ୍କାର ଜରିମାନା ଏବଂ ସଂକ୍ରମଣ ସମ୍ପର୍କରେ ଲୁଚାଇଲେ ୯୩ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି । ପାନାମାରେ ମହିଳାମାନେ ସପ୍ତାହର ସୋମ, ବୁଧ ଏବଂ ଶୁକ୍ରବାର ବାହାରକୁ ବାହାରି ପାରିବେ । ସେହିପରି ପୁରୁଷମାନେ ରବି, ମଙ୍ଗଳ, ଗୁରୁ ଏବଂ ଶନିବାର କେବଳ ୨ ଘଣ୍ଟା ପାଇଁ ବାହାରକୁ ବାହାରି ପାରିବେ ବୋଲି ଆଇନ ଜାରି ହୋଇଛି । କଲମ୍ବିଆରେ ଆଇଡି ନମ୍ବର ଆଧାରରେ ଲୋକେ ସପ୍ତାହର ନିର୍ଦ୍ଦିଷ୍ଟ ବାରରେ ଘରୁ ବାହାରି ପାରିବେ ବୋଲି ଆଇନ ପ୍ରଚଳନ କରାଯାଇଛି । ୦,୪,୭ ଆଇଡି ନମ୍ବର ଥିବା ବ୍ୟକ୍ତି ସୋମବାର ବାହାରକୁ ବାହାରି ପାରିବେ । ସେହିଭଳି ଅନ୍ୟ ଆଇଡି ଥିବା ବ୍ୟକ୍ତି ଭିନ୍ନ ଭିନ୍ନ ବାରରେ ବାହାରକୁ ଆସିପାରିବେ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

Share