ମୁମ୍ବାଇ,୯।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଦେଶବ୍ୟାପି ଲକ୍ଡାଉନ ଜାରି ରହିଛି। ଇତିମଧ୍ୟରେ ଦୀର୍ଘ ଅଢ଼େଇ ମାସ ପରେ ଲକ୍ଡାଉନ ନିୟମକୁ କୋହଳ କରିବାକୁ ବ୍ରିହାନମୁମ୍ବାଇ ନଗର ନିଗମ(ବିଏମ୍ସି) ନିଷ୍ପତ୍ତି ନେଇଛି। ଏଥିପାଇଁ ଏକ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି। ନୂଆ ଗାଇଡ୍ଲାଇନ୍ ଅନୁସାରେ ବର୍ତ୍ତମାନ ମୁମ୍ବାଇ ମଲ୍କୁ ଛାଡ଼ିଦେଲେ ବାକି ବଜାର ଅନ୍ୟ ସ୍ଥାନରେ ଥିବା ଦୋକାନଗୁଡ଼ିକ ଅଡ୍ ଇଭିନ ନମ୍ବର ଆଧାରରେ ଖୋଲାଯିବ। ଏହି ସବୁ ଦୋକାନଗୁଡ଼ିକୁ ପୁରା ସମୟ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ସପ୍ତାହରେ ଥରେ ଏହି ସମସ୍ତ ଦୋକାନ ବନ୍ଦ ରହିବ। ସୋମବାରଠାରୁ ଶନିବାର ଯାଏଁ ଦୋକାନ ଖୋଲାରହିବ ଏବଂ ରବିବାର ବନ୍ଦ ରହିବ ବୋଲି ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଖବରକାଗଜ ଛାପିବାକୁ ଓ ବିକ୍ରି ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ହକରମାନେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବା ଜରୁରୀ ବୋଲି ଉକ୍ତ ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି।