ବିଜେପୁର, ୧୩।୪(ଡି.ଏନ୍.ଏ.): କରୋନା (କୋଭିଡ-୧୯) ବଶ୍ବବାସୀଙ୍କର ଆଖିରୁ ନିଦ ହଜାଇ ଦେଇଛି। ଏହା ଜନଜୀବନର ଜୀବିକା ସହ ସଂସ୍କୃତି, ପରମ୍ପରାକୁ ମଧ୍ୟ ବେଶ୍ ପ୍ରଭାବିତ କରିଛି। ପବିତ୍ର ପଣାସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ଓ ଓଡିଆ ନବବର୍ଷ ପାଳିତ ହୋଇଥାଏ। ମାତ୍ର ଚଳିତ ବର୍ଷ କରୋନା ସବୁକିଛି ବିଗାଡି ଦେଇଛି। ବରଗଡ଼ ଜିଲା ବିଜେପୁର ଅଞ୍ଚଳରେ କରୋନା ପାଇଁ ଗାଁରୁ ସହର ସର୍ବତ୍ର ହନୁମାନଙ୍କ ପୂଜାର୍ଚ୍ଚନା କେବଳ ଜଣେ ଦୁଇ ଜଣ ଭକ୍ତଙ୍କ ଉପସ୍ଥିତିରେ ସମାପନ ହୋଇଛି। ପୋଲିସ ପ୍ରଶାସନର କଟକଣା ଯୋଗୁ ଆଖଡା କି ଶୋଭାଯାତ୍ରା ନାହିଁ। ପଣାପାଣି ବଣ୍ଟନର ମାହୋଲ ମଧ୍ୟ ନାହିଁ। ସବୁଠି କେବଳ ବିଧିରକ୍ଷାରେ ସୀମାବଦ୍ଧ ହୋଇଛି। ଏହିଦିନ ସୂର୍ଯ୍ୟ ବିଷୁବ ରେଖାରେ ଅବସ୍ଥାନ କରିଥାନ୍ତି। ତେଣୁ ଉକ୍ତ ଦିନରେ କବି, ଲେଖକ, ସାହିତ୍ୟପ୍ରେମୀ ମହାସମାରୋହରେ ବିଷୁବ ମିଳନ ସାହିତ୍ୟ ଆସର ପାଳନ କରୁଥିବାବେଳେ ଏବର୍ଷ ଏହା ମଧ୍ୟ ସମ୍ଭବ ହୋଇ ନାହିଁ।