ଲକ୍‌ଡାଉନ ପ୍ରଭାବ: ଜୀବନ ବଞ୍ଚାଇଛି କାଇପୋକ, କନ୍ଦା ଆଳୁ

କାଳିଆପାଣି,୮।୪(ଡିଏନଏ):  ଯାଜପୁର ଜିଲା ସୁକିନ୍ଦା ବ୍ଳକ କଅଁସ ପଞ୍ଚାୟତର ଟିକରପଡ଼ା ଗ୍ରାମରେ ଏବେ ୫୩ ପରିବାର ବସବାସ କରୁଥିବାବେଳେ ବୁଧବାର ମାତ୍ର ୧୦ ପରିବାର ପାଖରେ ପହଞ୍ଚିଛି ଚାଉଳ ଓ ଆଳୁ। ଫଳରେ ଆହୁରି ୪୩ ପରିବାର କାଇ ପୋକ, ବାସି ତୋରାଣି ସହ କନ୍ଦାଆଳୁ ଖାଇ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ଲକଡାଉନର ଏତେଦିନ ପରେ ବି ସେମାନଙ୍କ ନିକଟରେ କୌଣସି ସାହାଯ୍ୟ ସହଯୋଗ ନ ପହଞ୍ଚିବାରୁ ଜଙ୍ଗଲରୁ କାଇପୋକ ଓ କନ୍ଦାଆଳୁ ସଂଗ୍ରହ କରି ତାହାକୁ ଖାଇ ଜୀବନ ବଞ୍ଚାଉଥିବା ସଏଁ ପଧାନ, ଗଙ୍ଗା ପଧାନ, ଘସିଆ ପଧାନ, ବୈଷମ ପଧାନ ପ୍ରକାଶ କରିଛନ୍ତି। ସୂଚନା ଥାଉକି, ଜିଲାର ମାଓପ୍ରବଣ ଅଞ୍ଚଳଭାବେ ପରିଚିତ ଜଙ୍ଗଲଘେରା ଟିକରପଡ଼ା ଗ୍ରାମରେ ଜୁଆଙ୍ଗ ଓ ଆଦିବାସୀ ମିଶି ୫୩ ପରିବାର ବସବାସ କରୁଛନ୍ତି। ଲକଡାଉନ ଯୋଗୁ ଏମାନେ କାମଧନ୍ଧା କରିବାକୁ କି ବାହାରକୁ ଯାଇପାରୁ ନାହାନ୍ତି। ଫଳରେ ଘରେ ରହିଥିବା କିଛି ସଞ୍ଚିତ ଚାଉଳକୁ ରାନ୍ଧି ଖାଉଥିବାବେଳେ ତାହା ଏବେ ଶେଷ ପ୍ରାୟ ହୋଇଗଲାଣି। ଏପରିସ୍ଥଳେ ଏହି ପରିବାର ଜଙ୍ଗଲରୁ କାଇ ପୋକ ଓ କନ୍ଦା ଆଳୁ ଆଣି ଅଳ୍ପ ଚାଉଳ ଫୁଟାଇ କାଇପୋକ ସହ ତୋରାଣି ପିଇ ବଞ୍ଚୁଥିବା ଦେଖିବାକୁ ମିଳିଛି। ଭୋକ ଉପାସରେ ଦିନ କଟୁଥିବାବେଳେ ପ୍ରତିଦିନ ସକାଳୁ ଜଙ୍ଗଲରୁ ଏହି ଖାଦ୍ୟ ସଂଗ୍ରହ କରି ଖାଇବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଅସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ବ୍ୟବସ୍ଥା ରହିଥିବାବେଳେ ଏମାନଙ୍କ ନିକଟକୁ କୌଣସି ସହଯୋଗ ପହଞ୍ଚି ପାରିନାହିଁ। ସେହିପରି ପ୍ରତିପଞ୍ଚାୟତରେ ଦିଆଯାଉଥିବା ରନ୍ଧା ଖାଦ୍ୟ ମଧ୍ୟ ଏମାନଙ୍କ ନିକଟରେ ଅଦ୍ୟାବଧି ପହଞ୍ଚି ପାରିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ପରିବାର ମଧ୍ୟରୁ ଅଧିକାଂଶ ପରିବାର ଲୋକଙ୍କ ନିକଟରେ ଆଧାର କାର୍ଡ ନ ଥିବାରୁ ପିଡିଏସ ରାଶନରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଏନେଇ କଅଁସ ସରପଞ୍ଚ ରବୀନ୍ଦ୍ର ସାହୁଙ୍କୁ ମଙ୍ଗଳବାର ଯୋଗାଯୋଗ କରାଯାଇଥିବାବେଳେ ବୁଧବାରଠାରୁ ଲେକଙ୍କ ନିକଟରେ ରନ୍ଧାଖାଦ୍ୟ ପହଞ୍ଚିବ ବୋଲି କହିଥିଲେ ହେଁ ମାତ୍ର ୧୦ ପରିବାର ନିକଟରେ ଶୁଖିଲା ଖାଦ୍ୟ ପହଞ୍ଚା ଯାଇଥିବା ଜଣାପଡ଼ିଛି।

Share